ଦିଲ୍ଲୀ ପ୍ରଦୂଷଣ ଉପରେ ବଡ଼ ଆକ୍ସନ । ୫୦ପ୍ରତିଶତ କର୍ମଚାରୀ କରିବେ ‘ୱାର୍କ ଫ୍ରମ ହୋମ’

85

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ଲଗାତର ପ୍ରଦୂଷିତ ବାୟୁ ଜବଜୀବନକୁ ଅସ୍ତବ୍ୟସ୍ତ କରୁଛି । ସ୍ଥିତି ଦିନକୁ ଦିନ ଖରାପ ହେଉଥିବାରୁ ଦିଲ୍ଲୀ ସରକାର କିଛି ବଡ଼ ନିଷ୍ପତି ନେଇଛନ୍ତି । ସରକାରୀ କର୍ମଚାରୀଙ୍କୁ ଘରେ କାମ କରିବା ସହ ପ୍ରାଥମିକ ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ବାୟୂ ପ୍ରଦୂଷଣ ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଥମରୁ ପଞ୍ଚମ ଯାଏଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଏହାଛଡ଼ା ପଞ୍ଚମରୁ ଊଦ୍ଧ୍ୱର୍ କ୍ଲାସଗୁଡ଼ିକର ବାହାର ଗତିଶୀଳ ଉପରେ ମଧ୍ୟ କଟକଣା ଲଗାଯାଇଛି । ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ନୋଏଡାର ଗୌତମବୁଦ୍ଧ ନଗରରେ ନଭେମ୍ବର ୮ ତାରିଖ ଯାଏଁ ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଏହାବ୍ୟତୀତ ସିନିୟର ପିଲାଙ୍କ ପାଇଁ ଅନଲାଇନ୍ କ୍ଲାସ କରିବାକୁ ପ୍ରସ୍ତାବ ଦିଆଯାଇଛି । ସେହିପରି ଦିଲ୍ଲୀରେ ଅଡ୍-ଇଭିନ୍ ଉପରେ ବିଚାର କରାଯାଉଥିବା କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ପ୍ରଦୂଷଣ ରୋକିବାକୁ ୬ ନିଷ୍ପତ୍ତି
– ଅତ୍ୟାବଶ୍ୟକ ସେବା ପ୍ରଦାନ କରୁଥିବା ଟ୍ରକ ଓ ସମସ୍ତ ସିଏନଜି, ଇଲେକଟ୍ରିକ ଟ୍ରକ୍କୁ ଛାଡ଼ି ଦିଲ୍ଲୀରେ ଟ୍ରକର ପ୍ରବେଶ ଉପରେ କଟକଣା
– ଅତ୍ୟାବଶ୍ୟକ ସେବା ବ୍ୟତୀତ ପଞ୍ଜୀକୃତ ଡିଜେଲଚାଳିତ ଯାନ ଓ ଭାରୀ ସାମଗ୍ରୀ ଯାନ ଚଳାଚଳ ଉପରେ କଟକଣା
– ଅତ୍ୟାବଶ୍ୟକ ଓ ଜରୁରୀକାଳୀନ ସେବା ପାଇଁ ବ୍ୟବହୃତ ବିଏସ-୬କୁ ଛାଡ଼ି ଦିଲ୍ଲୀ-ଏନସିଆରରେ ୪ ଚକିଆ ଡିଜେଲ ଏଲଏମବିଏସର ଚଳାଚଳ ଉପରେ କଟକଣା
– ଦିଲ୍ଲୀ-ଏନସିଆରରେ ରାଜପଥ, ଫ୍ଲାଏଓଭର, ପାଇପଲାଇନ୍ ଭଳି ସରକାରୀ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉପରେ ରୋକ୍
– ୫୦% କର୍ମଚାରୀଙ୍କୁ ଘରେ କାମ କରିବାକୁ ଅନୁମତି
– ପରିବେଶ ଆଇନ୍ ସଠିକ୍ ଭାବେ କାର୍ଯ୍ୟକାରୀ ପାଇଁ ୬ଜଣିଆ ମନିଟରିଂ କମିଟି ଗଠନ

ସେପଟେ ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଜୋର ଧରିଛି । ପଞ୍ଜାବରେ ନଡ଼ା ଜାଳିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଏଥିପାଇଁ ସରକାର ଓ ନିଜକୁ କିଛିମାତ୍ରାରେ ଦାୟୀ କରିଛନ୍ତି । କହିଛନ୍ତି, ଆରୋପ-ପ୍ରତ୍ୟାରୋପ କି ରାଜନୀତି ଦ୍ୱାରା ଏହାର ସମାଧାନ ହେବ ନାହିଁ । ପଂଜାବରେ ଆମେ ୬ ମାସ ହେବ ସରକାର ଗଠନ କରିଛୁ । ଅନେକ ପଦକ୍ଷେପ ନେଇଛୁ, ସଫଳ ମଧ୍ୟ ହୋଇଛି । ଜାତୀୟ ରାଜଧାନୀର ବାୟୁ ପ୍ରଦୂଷଣ ଏବଂ ବାୟୁମାନର ଅବକ୍ଷୟ କେବଳ ଜାତୀୟ ରାଜଧାନୀର ସମସ୍ୟା ନୁହେଁ । କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିବା ଦରକାର । ସେପଟେ ନଡ଼ା ଜାଳିବାକୁ ନେଇ କେଜ୍ରିୱାଲ ସରକାରଙ୍କୁ ଘେରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଆରୋପ-ପ୍ରତ୍ୟାରୋପକୁ ନିରାଧାର ବୋଲି କହିଛନ୍ତି ।

ସେପଟେ ଦିଲ୍ଲୀରେ ବାୟୁମାନ ସ୍ତରରେ ସୁଧାର ଆଣିବା ପାଇଁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ସୁପ୍ରିମକୋର୍ଟ ଆଇନଜୀବୀ ଶଶାଙ୍କ ଶେଖର ଝା ଏହି ଆବେଦନ କରିଛନ୍ତି । ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳନ କରୁନଥିବାରୁ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କୁ ସମନ କରିବା ପାଇଁ ଆବେଦନରେ ଦର୍ଶାଯାଇଛି । ତେବେ ଏହା ଉପରେ ସର୍ବୋଚ୍ଚ ନ୍ୟାୟାଳୟ କ’ଣ ଶୁଣାଣି କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।