ଦିଲ୍ଲୀ ନଗରନିଗମ ନିର୍ବାଚନରେ ଆପ୍ ଦେଲାନାହିଁ ଟିକେଟ, ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ ଦେଉଛନ୍ତି ଆଶାୟୀ ପ୍ରାର୍ଥୀ

105

କନକ ବ୍ୟୁରୋ : ମୋତେ ଟିକେଟ ଦିଅ, ନହେଲେ ଏହି ଟାୱାର ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିବି । ଏଭଳି କିଛି ରୋଚକ ଚିତ୍ର ଦେଖିବାକୁ ମିଳିଛି ଦିଲ୍ଲୀରେ । ଏଠାରେ ଆମ୍ ଆଦମୀ ପାର୍ଟି ତରଫରୁ ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ନମିଳିବାରୁ ସେ ଆଜି ଏକ ମୋବାଇଲ ଟାୱାର ଉପରକୁ ଚଢିଯାଇ ଆତ୍ମହତ୍ୟା ଧମକ ଦେଇଛନ୍ତି ।

ସୂଚନା ମୁତାବକ ହସିବ ଓଲ ହସନ ନାମକ ଜଣେ ବ୍ୟକ୍ତିଙ୍କୁ ଦିଲ୍ଲୀ ନଗରନିଗମରୁ ପ୍ରାର୍ଥୀ କରିବାକୁ ଆମ୍ ଆଦମୀ ପାର୍ଟି ପ୍ରତିଶ୍ରୁତି ଦେଇଥିଲା । ହେଲେ ତାଙ୍କୁ ଟିକେଟ ମିଳିନଥିବାରୁ ସେ ଏଭଳି କରିଛନ୍ତି । ସେ ଶାସ୍ତ୍ରୀ ପାର୍କ ନିକଟରେ ଥିବା ଏକ ଟାୱାର ଉପରେ ଚଢିଯାଇଥିଲେ । ସେ କହୁଛନ୍ତି କି, ପାର୍ଟି ମୋତେ ଟିକେଟ ଦେଲାନାହିଁ ତେଣୁ ମୁଁ ଆତ୍ମହତ୍ୟା କରିବି ।

କହିରଖୁ କି ଦିଲ୍ଲୀ ନଗରନିଗମ ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରଥମ ତାଲିକାରେ ୧୩୪ ଓ ଦ୍ୱିତୀୟ ତାଲିକାରେ ୧୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ଅଧିକରୁ ଅଧିକ ପୁରୁଣା କାର୍ଯ୍ୟକର୍ତ୍ତା ରହିଛନ୍ତି । ହେଲେ ହସନ ଓଲଙ୍କ ନାମ ଏହି ତାଲିକାରେ ନାହିଁ । ସେପଟେ ତାଙ୍କର ଏଭଳି ଆତ୍ମହତ୍ୟା ଉଦ୍ୟମ ବାବଦରେ ଜାଣିବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରିଛି ।

ଦିଲ୍ଲୀ ନଗରନିଗମର ମୋଟ ୨୫୦ ଟି ଆସନ ପାଇଁ ଡିସେମ୍ବର ୪ ତାରିଖରେ ଭୋଟ ଗ୍ରହଣ ହେବ ଓ ୭ ତାରିଖରେ ଫଳାଫଳ ଘୋଷଣା କରାଯିବ । ଏନେଇ ଦିଲ୍ଲୀ ଶାସନ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ଷ୍ଟାର ପ୍ରଚାରକ ତାଲିକା ବି ଘୋଷଣା କରିସାରିଛି ।