ବିଳମ୍ବିତ ହେଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଘୋଷଣା : ଆଗରେ ବାଇଡେନ୍, ପଛୁଆ ଥିବା ଟ୍ରମ୍ପଙ୍କୁ ଝଟ୍‌କା

ଜର୍ଜିଆ ଓ ମିଚିଗାନରେ କୋର୍ଟ ଗ୍ରହଣ କଲେ ନାହିଁ ଗଣତି ସ୍ଥଗିତ ରଖିବା ଆବେଦନ

182

କନକ ବ୍ୟୁରୋ : ଏବେ ବି ଜାରି ରହିଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି । କିଏ ଜିତିବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନା ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ୍ , ତା ଉପରେ ରହିଛି ସାରା ବିଶ୍ୱର ନଜର । ଏସବୁ ଭିତରେ ଶେଷ ହୋଇଥିବା ଗଣତି ଅନୁସାରେ ଢ଼େର ଆଗୁଆ ଅଛନ୍ତି ଡେମୋକ୍ରାଟ ଦଳର ପ୍ରାର୍ଥୀ ଜୋ ବାଇଡେନ । ବାଇଡେନଙ୍କୁ ୨୬୪ ଇଲେକ୍ଟୋରାଲ୍ ଭୋଟ୍ ମିଳିଛି । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୧୪ ଇଲେକ୍ଟୋରାଲ୍ ଭୋଟ୍ ପାଇଛନ୍ତି । ଅର୍ଥାତ ବହୁମତ ଛୁଇଁବା ପାଇଁ ବାଇଡେନଙ୍କୁ ମାତ୍ର ୬ଟି ଆସନ ଆବଶ୍ୟକ ହେଉଥିବାବେଳେ ଟ୍ରମ୍ପ ବହୁ ଦୂରରେ ରହିଛନ୍ତି ।

ଆମେରିକାରେ ରାଷ୍ଟ୍ରପତି ଚୟନ ହେବା ପାଇଁ ଅତିକମରେ ଆବଶ୍ୟକ ୨୭୦ ଇଲେକ୍ଟୋରାଲ ଭୋଟ ଆବଶ୍ୟକ । ପ୍ରାୟ ୧୦ କୋଟି ଭୋଟ୍ ପୋଷ୍ଟାଲ ବାଲଟ ଓ ଇ ବାଲଟରେ ଆସିଥିବାରୁ ଏହାର ଗଣତି ପ୍ରକ୍ରିୟାରେ ବିଳମ୍ୱ ହୋଇଛି । ତେଣୁ କିଏ ରାଷ୍ଟ୍ରପତି ହେବ ସେ ନେଇ ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବାଇଡେନ୍ ଆଗୁଆ ଅଛନ୍ତି । ଅନ୍ୟପଟେ ଫଳାଫଳକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କିଛି ରାଜ୍ୟରେ ଭୋଟିଂରେ ଗଡବଡ ହୋଇଥିବା ଅଭିଯୋଗ ଆଣିଛନ୍ତି । ୱିସକିନସନରେ ରି-କାଉଁଟିଂ ଦାବି କରିଛନ୍ତି । ଟ୍ରମ୍ପ ଦାବି କରିଛନ୍ତି ପ୍ରଥମେ ସେ ଆଗରେ ଚାଲିଥିଲେ ।

କିନ୍ତୁ ଅଚାନକ ଜୋ ବାଇଡେନଙ୍କ ସପକ୍ଷରେ ଚାଲି ଯାଇଛି ଫଳାଫଳ । ମିଚିଗାନ, ଜର୍ଜିଆରେ ଭୋଟ ଗଣତି ସ୍ଥଗିତ ରଖିବାକୁ ଟ୍ରେମ୍ପ କରିଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି କୋର୍ଟ । ଫଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଏକ ବଡ ଝଟ୍କା ଲାଗିଛି । ସେପଟେ ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଭୋଟଗଣତି ସରିବାକୁ ଆହୁରି ୧୦ ଦିନ ଲାଗିପାରେ । ସେପଟେ ନିର୍ବାଚନ ପରିଣାମକୁ ନେଇ ଆମେରିକାର ଅନେକ ସହରରେ ବିକ୍ଷୋଭ ଓ ପ୍ରତିବାଦ ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଗଣତି ବନ୍ଦ କରିବାକୁ ଦାବି କରି ପ୍ରତିବାଦ କରିଥିବାବେଳେ ତାଙ୍କ ବିରୋଧରେ ବହୁ ସଂଖ୍ୟାରେ ଗୋଷ୍ଠି ବାହାରେ ବିକ୍ଷୋଭ କରିଛନ୍ତି ।