ଏବେ ଖୋଲିବନି ଶ୍ରୀମନ୍ଦିର ରତ୍ନଭଣ୍ଡାର। ବିଧାନସଭାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଲିଖିତ ଉତ୍ତର, ସୁରକ୍ଷିତ ଅଛି ମହାପ୍ରଭୁଙ୍କ ସୁନା ଅଳଙ୍କାର

216

କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନକୁ ତନଖି କରିବା ନିମନ୍ତେ ଏବେ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ । ତାଲିକା କରାଯାଇଥିବା ସୁନା ଓ ରୂପା ସାମଗ୍ରୀ ସୁରକ୍ଷିତ ଅଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନ । ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନ କରିଥିଲେ, ଜଗନ୍ନାଥଙ୍କ ରତ୍ନଭଣ୍ଡାର ଶେଷଥର ପାଇଁ କେବେ ଖୋଲାଯାଇଥିଲା ଓ ଏହି ସମୟରେ କଣ କଣ ରତ୍ନ ମିଳିଥିଲା । ବର୍ତ୍ତମାନ କେଉଁ କାରଣ ପାଇଁ ରତ୍ନଭଣ୍ଡାର ଖୋଲାଯାଉନାହିଁ ଓ ଶେଷଥର ଗଣତି ହୋଇଥିବା ରତ୍ନ ସୁରକ୍ଷିତ ଅଛି କି ନାହିଁ ।

 

ତେବେ ଏଥିରେ ମନ୍ତ୍ରୀ କହିଥିଲେ ଯେ, ଶେଷଥର ପାଇଁ ଭିତର ରତ୍ନଭଣ୍ଡାର ୧୯୮୫ ମସିହାରେ ଖୋଲାଯାଇଥିଲା । ଏହି ସମୟରେ ୪୫୪ଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଗଚ୍ଛିତ ଥିଲା । ସେହିଭଳି ୨୩୬ ଗୋଟି ରୂପା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଗଚ୍ଛିତ ଥିଲା । ଏହି ଅଳଙ୍କାର ଓ ସାମଗ୍ରୀ ମଧ୍ୟରୁ ୮ଟି ସୁନା ମୂର୍ତ୍ତି, ୬ଟି ରୂପା ବାସନ ଓ ମୂର୍ତି ବିଭିନ୍ନ କାରଣରୁ ଓଜନ ହୋଇପାରିନଥିବା କହିଛନ୍ତି ମନ୍ତ୍ରୀ । ତେବେ ରତ୍ନକୁ ତନଖି କରିବା ନିମନ୍ତେ ଏବେ ରତ୍ନଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ । ଏବଂ ତାଲିକା କରାଯାଇଥିବା ସମସ୍ତ ସୁନା ଓ ରୂପା ସାମଗ୍ରୀ ସୁରକ୍ଷିତ ଅଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ଏହାପରେ ବିଜେପି ବିଧାୟିକା କୁସୁମ ଟେଟେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କି, ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଅଡିଟ ସହ ସମସ୍ତ ଅଳଙ୍କାର ତାଲିକା ସାର୍ବଜନୀନ କରାଯିବା ନେଇ କି ପଦକ୍ଷେପ ନିଆଯାଇଛି । ତେବେ ବିଧାୟିକାଙ୍କ ଏହି ପ୍ରଶ୍ନ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଅଡିଟ ସହ ସମସ୍ତ ଅଳଙ୍କାର ତାଲିକା ସାର୍ବଜନୀନ କରାଯିବା ପାଇଁ ପଦକ୍ଷେପ ନିଆଯାଇ ନାହିଁ ।