କରୋନା ସଂକ୍ରମଣ ଭୟରେ ପାଖ ମାଡ଼ିଲେନି ନିକଟ ସମ୍ପର୍କୀୟ : ମୃତକଙ୍କ ଝିଅ ସହ ମିଶି ଶବ ସତ୍କାର କଲେ ଡାକ୍ତର 

159

କନକ ବ୍ୟୁରୋ : ଡାକ୍ତର କଲେ ଶବ ସତ୍କାର । କରୋନା ସଂକ୍ରମଣ ଭୟରେ ନିକଟ ସଂପର୍କୀୟ ପାଖ ମାଡିନଥିବାବେଳେ ରୋଗୀ ଚିକିତ୍ସା କରୁଥିବା ଡାକ୍ତର କରିଛନ୍ତି ଅନ୍ତିମ ସଂସ୍କାର । ପଦ୍ମପୁର ଉପଖଣ୍ଡ ଲହଙ୍ଗିର ଗାଁର ଭଗବାନ ମରେଇ ଗତ ୫ ଦିନ ହେଲା କରୋନାରେ ଆକ୍ରାନ୍ତ ଥିଲେ ।

ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ । ହେଲେ ଗତକାଲି ଅରାହ୍ନ ପ୍ରାୟ ୪ଟାରେ ତାଙ୍କର ଦେହାନ୍ତି ହୋଇଥିଲା । କରୋନା ସଂକ୍ରମଣ ଭୟରେ ସାହି ପଡିଶା କିମ୍ବା କେହି ନିକଟ ସଂପର୍କୀୟ ବି ଆସିନଥିଲେ । ଏ ସଂପର୍କରେ ପରିବାର ଲୋକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜଣାଇଥିଲେ । ଫଳରେ ବିଳମ୍ବ ନକରି ବୁକୁରାମୁଣ୍ଡା ସିଏଚସିର ଡାକ୍ତର ସୁଦୀପ୍ତ ସାହୁ ତାଙ୍କ ସହକର୍ମୀଙ୍କ ସହ ଆସି ପହଂଚି ଯାଇଥିଲେ । ଡାକ୍ତର ନିଜେ ପିପିଇ କିଟ ପିନ୍ଧି ମୃତ ଭଗବାନଙ୍କ ଝିଅ ସହ ମିଶି ମଶାଣିକୁ ଶବ ନେଇ ସତ୍କାର କରିଥିଲେ ।