ରାମ ଲିଙ୍ଗେଶ୍ୱର ପାର୍କ : ସାଧାରଣ ଲୋକଙ୍କୁ ମନା, ନେତାଙ୍କ ପାଇଁ ଖୋଲା; ସ୍ଥାନୀୟ ଅଂଚଳରେ ଉତେଜନା

କାହିଁକି ଏଠାରେ ନେତା ମନ୍ତ୍ରୀଙ୍କ ପାଇଁ ଭୋଜି କରାଯାଉଛି ? ବିଜେପି କର୍ମୀ ପ୍ରଶ୍ନ କରିବା ସହ ଘେରାଉ କଲେ ବିଏମସି ଅଫିସ

95

କନକ ବ୍ୟୁରୋ : କରୋନା କଟକଣା ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିଛି ବ୍ରହ୍ମପୁର ସହରର ରାମଲିଙ୍ଗେଶ୍ୱର ପାର୍କ । ଲୋକଙ୍କୁ ମନା ହୋଇଥିବା ପାର୍କରେ ଭୋଜି କରୁଛନ୍ତି ନେତା ଓ ପ୍ରଶାସନିକ ଅଧିକାରୀ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି । ବିଜେପି ପକ୍ଷରୁ ଏହାକୁ ବିରୋଧ କରାଯାଉଛି । ବିଜେପି କର୍ମୀମାନେ ପାର୍କ ଭିତରେ ପଶି ତାଲା ପକାଇ ଦେଇଛନ୍ତି ।

କରୋନା ଗାଇଡ଼ ଲାଇନ ଅନୁସାରେ ରାତି ୮ ପରେ ବ୍ରହ୍ମପୁର ସହରରେ ନାଇଟ କର୍ଫ୍ୟୁ ଲାଗୁ ହେଉଛି । ରାମ ଲିଙ୍ଗେଶ୍ୱର ପାର୍କକୁ ବନ୍ଦ କରି ଦିଆଯାଇଛି । କିନ୍ତୁ ସଂଧ୍ୟା ହେଲେ ଏଠାରେ ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ଭିଡ ଲାଗୁଛି । ନେତା, ମନ୍ତ୍ରୀ, ପ୍ରଶାସନିକ ବାବୁ ଆସିବା ଆଗରୁ ଭୋଜିର ଆୟୋଜନ କରାଯାଉଛି, ଭିଆଇପି ଚର୍ଚ୍ଚା କରାଯାଉଛି । ଆଉ ଅପରାହ୍ଣ ୪ଟା ସୁଦ୍ଧା ପାର୍କ ପାଖରେ ଥିବା ଦୋକାନଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉଥିବା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି । ପର୍କ ସାଧାରଣ ଲୋକଙ୍କ ପାଇଁ ବନ୍ଦ ଥିବା ବେଳେ କାହିଁକି ଏଠାରେ ନେତା ମନ୍ତ୍ରୀଙ୍କ ପାଇଁ ଭୋଜି କରାଯାଉଛି, ବୋଲି ବିଜେପି କର୍ମୀ ପ୍ରଶ୍ନ କରିବା ସହ ବିଏମସି ଅଫିସ ଘେରାଉ କରିଛି ।

ପୂର୍ବରୁ ରାମ ଲିଙ୍ଗେଶ୍ୱର ପାର୍କରେ ପୂର୍ବରୁ କୋଭିଡ ଟିକା ଦିଆଯାଉଥିଲା । ସକାଳୁ ଟିକା ଦିଆଯାଉଥିବା ବେଳେ ଅପରାହ୍ଣରେ ଲୋକଙ୍କ ବୁଲାବୁଲି ପାଇଁ ଖୋଲାଯାଉଥିଲା । ହେଲେ ଗଂଜାମ ଜିଲ୍ଲାର ହିଂଜିଳି ଓ ଶେରଗଡ଼ ବ୍ଲକରେ ୫୦ରୁ ଅଧିକ ସ୍ମାର୍ଟ ସ୍କୁଲ ଉଦ୍ଦଘାଟନ କାର୍ଯ୍ୟକ୍ରମ ଚାଲି ଥିବାରୁ ୧୦୮ ବିଧାୟକ ଓ ମନ୍ତ୍ରୀ ଗଂଜାମ ଗସ୍ତରେ ଅଛନ୍ତି । ନେତା ମନ୍ତ୍ରୀଙ୍କ ପାଇଁ ପାର୍କରେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ତେଣୁ ପାର୍କକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରିଯାଇଛି । ଫଳରେ ଟିକା ନେବାକୁ ଆସୁଥିବା ଲୋକ ନିରାଶ ହୋଇ ଫେରି ଯାଉଛନ୍ତି ।