ଯୋଡା ଅଞ୍ଚଳରେ ଜଙ୍ଗଲହ୍ରାସ ବଢାଇଲା ଚିନ୍ତା। ଚାରିଆଡେ ଧୂଳିଧୂଆଁମୟ ପରିବେଶ।

69

କନକ ବ୍ୟୁରୋ:  ପରିବେଶର ପରିବର୍ତ୍ତନ ଦେଖାଦେଇଛି । କେତେବେଳେ ଅତ୍ୟଧିକ ଗରମ ତ ଆଉ କେତେବେଳେ ଅତ୍ୟଧିକ ବର୍ଷାର ସାମ୍ନା କରୁଛି ମାନବ ସମାଜ । ଜଳବାୟୁରେ ପରିବର୍ତ୍ତନ ଯୋଗୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ତେବେ ଜଳବାୟରେ ପରିବର୍ତ୍ତନ ପାଇଁ ମଧ୍ୟ ଅନେକ କାରଣ ରହିଛି । ଏହି କାରଣ ମଧ୍ୟରୁ ପ୍ରଥମରେ ରହିଛି ଜଙ୍ଗଲ ହ୍ରାସ । ଗଛ କାଟି ମଣିଷ ସମାଜ ଜଙ୍ଗଲ ନଷ୍ଟ କରୁଛି, ଯାହାର ପ୍ରଭାବ ଏବେ ଦେଖିବାକୁ ମିଳୁଛି ।

କେନ୍ଦୁଝର  ଜିଲ୍ଲାର ଯୋଡା ଖଣି ଅଞ୍ଚଳ । ଏଠାରେ ଦିନକୁ ଦିନ ଶିଳ୍ପସଂସ୍ଥା ବଢିବାରେ ଲାଗିଛି । ଅବାଧରେ ଶହ ଶହ ସଂଖ୍ୟାରେ ଗଛ କଟାଯାଉଥିବାରୁ ଚାରିଆଡେ ଧୂଳି ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ସହରର ଯେଉଁଆଡେ ଆପଣଙ୍କ ନଜର ଯିବ ସେଠାରେ ଧୂଳିର ଚାଦର ଦେଖିବାକୁ ମିଳିବ । ରାସ୍ତାଘାଟ ଠାରୁ ନେଇ ଘରଦ୍ୱାର । ଏପରିକି ପଶୁପକ୍ଷୀଙ୍କ ଉପରେ ବି ଧୂଳିର ଚାଦର ଘୋଡେଇ ହୋଇରହିଛି । ଏହି ଅଞ୍ଚଳରେ ଗଛ ନଥିବା କାରଣରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଶିଳ୍ପ ସଂସ୍ଥା ବଢୁଛି ଅଥଚ ଗଛ ହ୍ରାସ ପାଉଛି ଯାହା ପରିବେଶକୁ ଦୂଷିତ କରିଚାଲିଛି । ଶହ ଶହ ସଂଖ୍ୟାରେ ଗାଡିମଟର ଯିବା ଆସିବା କରିବା ଫଳରେ ଧୂଳି ଉଡୁଛି । ଏହା ସିଧାସଳଖ ଲୋକଙ୍କ ନାକଦ୍ୱାରା ମଣିଷ ଶରୀରକୁ ଯାଇ ବିଭିନ୍ନ ରୋଗର ମଧ୍ୟ କାରଣ ସାଜୁଛି ।

ଗଛ ଆମର ଜୀବନ, ହେଲେ ଏ ମଣିଷ ସମାଜ ଗଛକୁ ନଷ୍ଟ କରି ପରିବେଶରୁ ସନ୍ତୁଳନ ବିଗାଡୁଛି । ଗଛ ନଷ୍ଟ ହେବା କାରଣରୁ ଲୋକଙ୍କୁ ଆଉ ଅମ୍ଳଜାନ ମିଳିପାରୁନାହିଁ । ପୂର୍ବାପେକ୍ଷା ଆଉ ବର୍ଷା ମଧ୍ୟ ନାହିଁ । ଯେଉଁ ସମୟରେ ବର୍ଷା ହେବା କଥା ସେ ସମୟରେ ନ ହୋଇ ଅନ୍ୟ ସମୟରେ ହେବା ପରେ ଏହା ଲୋକଙ୍କ ପାଇଁ ବିପତ୍ତି ସାଜିଛି । ବନ୍ୟା ପରିସ୍ଥିତି ସୃଷ୍ଟି ମଧ୍ୟ ହେଉଛି । ଯଦି ଗଛଥାନ୍ତା ତେବେ ସଠିକ ସମୟରେ ବର୍ଷା ହୁଅନ୍ତା ଏବଂ ଲୋକେ ମଧ୍ୟ ଏହାର ଉପକାର ପାଇ ପାରନ୍ତେ । ତେବେ ଏସବୁ ଭିତରେ କିନ୍ତୁ ସବୁ ଜାଣି ଚୁପ ରହୁଛି ପ୍ରଶାସନ । ଅବାଧରେ ଜଙ୍ଗଲ ନଷ୍ଟ ହେଉଥିଲେ ମଧ୍ୟ ବନ ବିଭାଗ ନିରବ । ଗଛ କାଟି ଶିଳ୍ପସଂସ୍ଥା କରାଯାଉଛି କିନ୍ତୁ ସେହିପରିମାଣର ବୃକ୍ଷରୋପଣ ହେଉନାହିଁ । ବନବିଭାଗର ଦାୟିତ୍ୱ ଏହାକୁ ଅନୁଧ୍ୟାନ କରିବା କିନ୍ତୁ ନିଦାବିଷ୍ଣୁ ସାଜଛନ୍ତିି ବିଭାଗୀୟ କର୍ମଚାରୀ । ତେବେ ପରିବେଶବିତଙ୍କ କହିବା କଥା ବର୍ତ୍ତମାନ ଯେଉଁଭଳି ୧୦ ମାସ ଖରାର ପ୍ରକୋପ ରହୁଛି ଏହିସ୍ଥିତିରୁ ବର୍ତ୍ତିବା ପାଇଁ ଅଧିକରୁ ଅଧିକ ଗଛ ଲଗାଇବାର ଆବଶ୍ୟକତା ରହିଛି ।

ତେବେ ସମୟ ଆସିଛି କେନ୍ଦୁଝର ଯୋଡା ଅଞ୍ଚଳର ସ୍ଥିତିକୁ ଗୁରୁତର ଭାବେ ନେବାର । ଯେଉଁଭଳି ଭାବେ ଏଠାକାର ପରିବେଶ ପ୍ରଦୂଷିତ ହୋଇଛି ତାକୁ ସନ୍ତୁଳନକୁ ଆଣିବାକୁ ଚେଷ୍ଟା କରିବା । ଅଧିକରୁ ଅଧିକ ଗଛ ଲଗାଇ ଯୋଡାକୁ ସବୁଜସୁନ୍ଦର କରିବା । ତେଣୁ ଆସନ୍ତୁ ଆମ ପୁରୁଣା ପୃଥିବୀକୁ ଫେରାଇଆଣିବାର ଚେଷ୍ଟାକରିବା । ପୁନଶ୍ଚ ପୃଥିବୀ ଗଢିବାର ସଙ୍କଳ୍ପ ନେବା ।