କନକ ବ୍ୟୁରୋ : ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ । ୮୦ ବର୍ଷ ବୟସରେ ପିଲାମାନଙ୍କୁ ପାଠ ପଢାଉଛନ୍ତି ବାଲେଶ୍ୱର ବସ୍ତା ବ୍ଲକ ମାଛରଙ୍କା ଗାଁର ବାସନ୍ତୀ ମିଶ୍ର ଓରଫ ବାସନ୍ତୀ ଜେଠେଇ ମା’ । ନିଜ ଶିକ୍ଷାଗତ ଯୋଗ୍ୟତା ଠାରୁ ଅଧିକ ଶ୍ରେଣୀର ପିଲାଙ୍କୁ ଅତି ସହଜରେ ପଢାଇ ପାରୁଛନ୍ତି । ପରିଣତ ବୟସରେ ପୁଅ ବହୁ ,ନାତୀ ନାତୁଣୀଙ୍କ ଗହଣରେ ସମୟ ବିତାଇବା ବଦଳରେ ମାଗଣା ଶିକ୍ଷାଦାନ କରି ଗ୍ରାମାଂଚଳରେ ଶିକ୍ଷାର ବିକାଶ କରୁଛନ୍ତି । ସକାଳେ ଓ ସନ୍ଧ୍ୟାରେ ପିଲାମାନଙ୍କ ଗହଣରେ ରହି ଖୁବ ଆନନ୍ଦରେ ଦିନ ବିତାଇଥାନ୍ତି ବାସନ୍ତୀ ଜେଠେଇ ମା’ ।

Advertisment

ସେହିଭଳି ପୁରୀ ଅସ୍ତରଙ୍ଗ ବ୍ଲକ ପାଟଅଳଦା ଗାଁର ନିଆରା ଗୁରୁ ଉପେନ୍ଦ୍ର ସ୍ୱାଇଁ । ଗୋଟିଏ ହାତରେ ତବଲା, ହାରମୋନିୟମ୍ ବଜାଇ ସଂଗୀତ ଶିକ୍ଷା ଦେଉଛନ୍ତି । ଏହି ଗୁରୁ ଜଣଙ୍କ ପକ୍ଷାଘାତରେ ପୀଡିତ ହୋଇ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି । ଶରୀରର ଗୋଟିଏ ପଟ ପୁରା ଅଚଳ ହୋଇଯାଇଛି । ତଥାପି ସଂଗୀତ ଶିକ୍ଷାଦାନ ବନ୍ଦ ହୋଇନାହିଁ । ୧୯୭୬ ମସିହାରେ, ନିମାପଡା କଳା କଳ୍ପନା ଏକାଡେମୀରେ ସଂଗୀତ ଓ ବାଦ୍ୟ ଶିକ୍ଷା ଗ୍ରହଣ କରିବା ପରେ ନିଜେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସହ ଶହ ଶହ ଶିଷ୍ୟ ତିଆରି କରିଛନ୍ତି ସଂଗୀତ ଗୁରୁ ଉପେନ୍ଦ୍ର ସ୍ୱାଇଁ ।

କେନ୍ଦୁଝର ହାଟଡିହି ବ୍ଲକ ଆବୁଲପୁର ଓ ବିରିଡିରେ ଚାଲିଛି ଦୁଇଟି ଚାଟଶାଳୀ । ଏହି ଚାଟଶାଳୀରେ ଜେଜେବାପା ପଢୁଥିଲେ, ଏବେ ନାତୀ ନାତୁଣୀ ପଢୁଛନ୍ତି । ଅର୍ଥାତ୍ ୩ ପିଢି ଏଇଠୁ ପାଠ ପଢା ଆରମ୍ଭ କରିଛନ୍ତି । ୪୭ ବର୍ଷ ହେବ ଏହି ଚାଟଶାଳୀରେ ପାଠ ପଢାଇ ଆସୁôଛନ୍ତି ୭୬ ବର୍ଷିୟ ଗୁରୁ ଜଗବନ୍ଧୁ ମହାପାତ୍ର । ଯିଏ ଅନନ୍ତ ସାର ଭାବେ ବେଶ୍ ପରିଚିତ । ଦୁଇଟି ସ୍ଥାନରେ ଚାଟଶାଳୀ କରି ସକାଳ ଓ ସଂଧ୍ୟାରେ ପ୍ରାୟ ୪୦ ଜଣ ପିଲାଙ୍କୁ ପାଠ ପଢାଉଛନ୍ତି । ଅନନ୍ତ ସାରଙ୍କ ବହୁ ଛାତ୍ରଛାତ୍ରୀ ଏବେ ବଡବଡ ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି ।

ଗୁରୁ ଶିଷ୍ୟଙ୍କ ନିଆରା ପରମ୍ପରା ଆଜି ବି ଭାରତ ଇତିହାସରେ ସ୍ୱତନ୍ତ୍ରତା ବଜାୟ ରଖିଛି, ଆଉ ଆମ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଗୁରୁଙ୍କ କାହାଣୀ ଆଜିର ସମାଜରେ ଗୋଟିଏ ଗୋଟିଏ ଉଦାହରଣ ।