କନକ ବ୍ୟୁରୋ: ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ୬ ଘଣ୍ଟାରେ ତିିନି ଜିଲ୍ଲା ଗସ୍ତ କରି ଦଳୀୟ କର୍ମୀ ଓ ନେତାଙ୍କୁ ଉଦବୋଧନ ଦେବେ । ଆଗକୁ ନିର୍ବାଚନ ରହିିଛି, ଏହାପୂର୍ବରୁ ୨୦୧୯ରେ ଯେଉଁସବୁ ଲୋକସଭା ଆସନରେ ଦଳ ପରାଜିତ ହୋଇଥିଲା ତାକୁ ଗୁରୁତ୍ୱ ଦେଉଛି । ନବରଙ୍ଗପୁର ରେ ପହଞ୍ଚିବା ପରେ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦଳର କୋର କମିଟି ବୈଠକରେ ଯୋଗଦେବେ । ଏହାପରେ ସେ ଜଗଦଲପୁର ବିମାନବନ୍ଦରକୁ ଯାଇ ଅନ୍ୟ ଏକ ହେଲିକପ୍ଟର ଯୋଗେ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବେ ।

ଅପରାହ୍ନ ୧ଟା ୩୦ରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ପହଞ୍ଚି ଅପରାହ୍ନ ୧ଟା ୪୫ରୁ ୨ଟା ୪୫ ମଧ୍ୟରେ କାର୍ଯ୍ୟନିର୍ବାହୀ ସଦସ୍ୟ ବୈଠକରେ ଉଦବୋଧନ ଦେବେ । ଏହାପରେ ଅପରାହ୍ନ ୩ଟାରେ ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଅଭିମୁଖେ ବାହାରି ଅମର୍ଦ୍ଦା ଏୟାର ଷ୍ଟ୍ରିପରେ ଅବତରଣ କରିବେ । ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ସେ କାର୍ଯ୍ୟକାରିଣୀ ସଦସ୍ୟ ବୈଠକରେ ଯୋଗଦେବେ । ଏହାପରେ ସେ ସନ୍ଧ୍ୟା ସାଢ଼େ ୫ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଏହି ସମୟରେ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ । ବିଧାନସଭା ଆସନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଏବଂ କେନ୍ଦ୍ର ସରକାରଙ୍କ ଯୋଜନା ବାବଦରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚିବ ସେ ନେଇ ରାଜନାଥ ସିଂହ ଦେବେ ଗୁରୁମନ୍ତ୍ର ।