କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗର ୧୬ଶ ସଂସ୍କରଣ ପ୍ଲେଅଫ୍ ଆଜିଠାରୁ ଆରମ୍ଭ ହେଉଛି । ପ୍ରଥମ କ୍ୱାଲିଫାୟର ଡିଫେଣ୍ଡିଂ ଚାମ୍ପିୟନ୍ ଗୁଜରାଟ ଟାଇଟନ୍ସ ଓ ୪ଥରର ଚାମ୍ପିୟନ୍ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯିବ । ମ୍ୟାଚଟି ଚେପକ ଷ୍ଟାଡିୟମରେ ଖେଳାଯିବାକୁ ଥିବାରୁ ଘରୋଇ ଟିମର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ବହୁତ ଖାସ ହେବ । କାରଣ ଧୋନିଙ୍କ ପାଇଁ ଏହା ସମ୍ଭବତଃ ଶେଷ ଆଇପିଏଲ୍ ମ୍ୟାଚ୍ ।

Advertisment

ତେଣୁ ଘରୋଇ ଦର୍ଶକ ନିଜ ପ୍ରିୟ ଖେଳାଳିଙ୍କୁ ବିଦାୟ ଦେବା ପାଇଁ ବିପୁଳ ମାତ୍ରାରେ ଉପସ୍ଥିତ ରହିବାର ସମ୍ଭାବନା ରହିଛି । କିନ୍ତୁ ଧୋନିଙ୍କ ଟିମ୍ ପକ୍ଷେ ଗୁଜରାଟ ଟାଇଟନ୍ସକୁ ହରାଇବା ସହଜ ହେବ ନାହିଁ । ଚଳିତ ସଂସ୍କରଣର ପ୍ରଥମ ମ୍ୟାଚରେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ । ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ ବିଜୟୀ ହୋଇଥିଲା । ତେବେ ଆଜି ଯେଉଁ ଦଳ ବିଜୟୀ ହେବ, ସେହି ଦଳ ସିଧାସଳଖ ଫାଇନାଲରେ ପହଞ୍ଚିବ। ରେକର୍ଡ ଦୃଷ୍ଟିରୁ ଗୁଜରାଟ ବର୍ତ୍ତମାନ ଜବରଦସ୍ତ ଫର୍ମରେ ରହିଛି । ଗୁଜରାଟ ୧୪ ମ୍ୟାଚରୁ ୧୦ ବିଜୟ ସହ ଶୀର୍ଷରେ ରହିଥିଲା ବେଳେ ଚେନ୍ନାଇ ୮ ବିଜୟ ସହ ଦ୍ୱିତୀୟରେ ରହିଛି ।

ଗୁଜରାଟ ବ୍ୟାଟିଂ ଓ ବୋଲିଂ ଲାଇନ୍ ବେଶ୍ ମଜଭୁତ୍ । ଓପନିଂ ବ୍ୟାଟର ଶୁବମନ ଗିଲ୍ ଶ୍ରେଷ୍ଠ ଫର୍ମରେ ଅଛନ୍ତି । ଗିଲ୍ ନିଜର ଶେଷ ଦୁଇଟି ମ୍ୟାଚରେ ଶତକ ମାରିଛନ୍ତି । ଏବେ ତାଙ୍କ ବ୍ୟାଟରୁ ଦଳ ଆଉଏକ ବଡ଼ ଇନିଂସ ଆଶା କରୁଛି । ସେପଟେ ଚେନ୍ନାଇ ଟିମର ଓପ୍ନର ଡେଭନ୍ କନୱେ ମଧ୍ୟ ଭଲ ଫର୍ମରେ ଅଛନ୍ତି । ତେଣୁ ଦୁଇ ଟିମ୍ ଭଲ ଷ୍ଟାର୍ଟ ସହ ପରସ୍ପରକୁ ବଡ଼ ଟାର୍ଗେଟ୍ ଦେବାକୁ ଲକ୍ଷ୍ୟ ରଖିବେ ।