ଭାରତ ଉପରେ ଚୀନର ସାଇବର ଆକ୍ରମଣ ! ସବୁଠୁ ସୁରକ୍ଷିତ ପ୍ରତିରକ୍ଷା ବିଭାଗର ୱେବସାଇଟରେ ହ୍ୟାକର୍ସ ଲେଖିଲେ ଚୀନ ଭାଷା

32

ଭାରତ ଉପର ଚୀନର ସାଇବର ଆକ୍ରମଣ । ଗୋଟିଏ ପଟେ ସୀମା ବିବାଦକୁ ନେଇ ଭାରତ ସହ ଚୀନ ସର୍ମ୍ପକ ହେଉଥିବା ବେଳେ ଏକ ନୂଆ ଉପାୟରେ ଭାରତ ଉପରେ ଆକ୍ରମଣ କରିଛି ଚୀନ୍ । ଯାହା ଭାରତର ଚିନ୍ତା ବଢାଇଦେଇଛି । ଭାରତର ପ୍ରତିରକ୍ଷା ବିଭାଗର ୱେବସାଇଟକୁ ଚାଇନିଜ ହ୍ୟାକର ମାନେ ହ୍ୟାକ କରିଥିବା ଖବର ସାମ୍ନାକୁ ଆସିଛି । ପ୍ରତିରକ୍ଷା ବିଭାଗର ହୋମ ପେଜରେ ଚୀନ ଭାଷା ମାଣ୍ଡରିନରେ କିଛି ଲେଖା ହୋଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ୱେବସାଇଟ ହ୍ୟାକ ହେବା ପରେ ଗୃହ ମନ୍ତ୍ରାଳୟର ୱେବସାଇଟ ଡାଉନ ହୋଇଯାଇଛି । ତେଣୁ ଏହାକୁ ମଧ୍ୟ ହ୍ୟାକ କରାଯିବା ନେଇ ସନ୍ଦେହ କରାଯାଉଛି ।

ୱେବସାଇଟ ହ୍ୟାକ ହୋଇଥିବା ନେଇ ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହା ପାଇଁ ଉଚିତ୍ ପଦକ୍ଷେପ ନିଆଯାଉଛି ବୋଲି ଉଲ୍ଲେଖ କରିଛନ୍ତି । ଏବଂ କିଛି ସମୟ ମଧ୍ୟରେ ୱେବସାଇଟ ସାମାନ୍ୟ ହୋଇଯିବ ଏବଂ ଭବିଷ୍ୟତରେ ଯେମିତି ଏପରି ଘଟଣା ନଘଟେ ସେ ନେଇ ସବୁ ସମ୍ଭବ ପ୍ରୟାସ କରାଯାଉଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ତେବେ ଜାତୀୟ ସାଇବର ସିକ୍ୟୁରିଟି କୋ-ଅଡ଼ିନେଟର ଗୁଲଶନ ରୟ କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରାଳୟର ୱେବସାଇଟ ହ୍ୟାକ୍ କରାଯାଇନାହିଁ ।

ଚୀନର ମୋବାଇଲ ଓ ଟେଲିକମ ସାମଗ୍ରୀ ଭାରତୀୟ ବଜାରକୁ ଏକରକମ ଅକ୍ତିଆର କରିସାରିଛି । ଏହା ଦ୍ୱାରା ଭାରତୀୟଙ୍କ ଉପରେ ନଜର ରଖିବା ଚୀନ ପାଇଁ ସହଜ ହୋଇଯାଇଛି । ଚୀନର ହ୍ୟାକରମାନେ ଯେକୌଣସି ସମୟରେ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିପାରନ୍ତି ବୋଲି ଆଶଙ୍କା ବଢିଚାଲିଛି । ଚୀନ ଦିନକୁ ଦିନ ସାଇବର ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଛି । ଏଦିଗରେ ମଧ୍ୟ ଭାରତକୁ ପ୍ରସ୍ତୁତ ହେବାର ସମୟ ଆସିଯାଇଛି ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି ।ଏ ନେଇ ସରକାର ଅବଗତ ଅଛନ୍ତି ଓ ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଖୁବଶୀଘ୍ର ୱେବସାଇଟ ସ୍ୱାଭାବିକ ହୋଇଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି