ବାୟୁସେନାର ଏମଆଇ-୧୭-ଭି୧୫ ହେଲିକପ୍ଟର ଦୁର୍ଘଟଣା ପ୍ରସଙ୍ଗ । ଆଜି ଗୃହକୁ ଅବଗତ କରାଇବେ ପ୍ରତିରକ୍ଷା ମନ୍ତ୍ରୀ

93

କନକ ବ୍ୟୁରୋ : ସିଡିଏସ ବିପିନ ରାୱତଙ୍କ ଏମଆଇ-୧୭ବି୫ ହେଲିକପ୍ଟର ଦୁର୍ଘଟଣା ନେଇ ଆଜି ସଂସଦରେ ଉତର ରଖିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସଂସଦର ଦୁଇ ଗୃହରେ ରାଜନାଥ ହେଲିକପ୍ଟର ଦୁର୍ଘଟଣାର କାରଣ ବାବଦରେ କହିବେ । ଗତକାଲି ଅପରାହ୍ନରେ ତାମିଲନାଡୁର କୁନ୍ନୁର ପାଖରେ ବାୟୁସେନାର ଏମ୍ଆଇ-୧୭ବି୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସିଡିଏସ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୧ ବାୟୁସେନା ସଦସ୍ୟ । ବିପିନି ରାୱତଙ୍କ ବିୟୋଗରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ସମେତ ଅନେକ ଦେଶର ନେତା ଶୋକ ପ୍ରକାଶ କରିଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ଅକାଳ ବିୟୋଗରେ ମୁଁ ସ୍ତବ୍ଧ ଏବଂ ବ୍ୟଥିତ । ଦେଶ ଆଜି ତା’ର ବୀରପୁତ୍ରମାନଙ୍କ ମଧ୍ୟରୁ ଜଣଙ୍କୁ ହରାଇଛି । ଦେଶର ସୁରକ୍ଷା ପାଇଁ ଦୀର୍ଘ ୪ ଦଶନ୍ଧିର ନିସ୍ବାର୍ଥ ସେବା ଏବଂ ଅସାଧାରଣ ବୀରତା ତାଙ୍କର ପରିଚୟ ଥିଲା ବୋଲି ରାଷ୍ଟ୍ରପତି କହିବା ସହ ଶୋକାକୁଳ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ହେଲିକପ୍‌ଟର ଦୁର୍ଘଟଣାରେ ଆମେ ଜେନେରାଲ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ସୁରକ୍ଷା କର୍ମୀଙ୍କୁ ହରାଇଛୁ। ଏଥିରେ ମୁଁ ମର୍ମାହତ । ଜେନେରାଲ ରାୱତ ପୂର୍ଣ୍ଣ ନିଷ୍ଠାର ସହିତ ଭାରତର ସେବା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଶୋକାକୁଳ ପରିବାରକୁ ସମବେଦନା ଜଣଶଇଛନ୍ତି ।

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଜେନେରାଲ ରାୱତଙ୍କ ଅନୁକରଣୀୟ ଅବଦାନ ଏବଂ ପ୍ରତିବଦ୍ଧତାକୁ ଶବ୍ଦରେ ପ୍ରକାଶ କରିହେବ ନାହିଁ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ କହିଛନ୍ତି ଯେ ରାୱତଙ୍କ ଅକାଳ ମୃତ୍ୟୁ ଆମର ଦେଶ ଏବଂ ସେନା ପାଇଁ ଅପୂରଣୀୟ କ୍ଷତି । କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ରାୱତଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆମେରିକା, ରୁଷ୍‌, ପାକିସ୍ତାନ ଏବଂ ଇସ୍ରାଏଲ୍‌ ରାୱତଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ପ୍ରତିରକ୍ଷା ସମ୍ପର୍କ ସୁଦୃଢ଼ କରିବା ଦିଗରେ ରାୱତଙ୍କ ଭୂମିକାକୁ ସେମାନେ ମନେ ପକାଇଛନ୍ତି । ଆମେରିକା ଦୂତାବାସ ଦ୍ବାରା ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ, ଭାରତର ସାମରିକ ସ୍ଥିତିକୁ ଏକ ନୂ୍ଆ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ ସିଡିଏସ୍‌ ରାୱତଙ୍କର ଏକ ନିର୍ଣ୍ଣାୟକ ଭୂମିକା ଥିଲା ।

ଆମେରିକାର ସେ ଜଣେ ଘନିଷ୍ଠ ବନ୍ଧୁ ଥିଲେ। ଗତ ସେପ୍ଟେମ୍ବରରେ ରାୱତଙ୍କ ଆମେରିକା ଗସ୍ତ ସଂକ୍ରାନ୍ତରେ ମଧ୍ୟ ଏଥିରେ କୁହାଯାଇଛି । ରୁଷ୍‌ ମଧ୍ୟ ରାୱତଙ୍କ ମୃତ୍ୟୁ ଘଟଣାରେ ‌ଶୋକ ପ୍ରକାଶ କରିଛି । ରୁଷ୍‌ ରାଷ୍ଟ୍ରଦୂତ ନିକୋଲେ କୁଦାସେଭ୍ କହିଛନ୍ତି, ଭାରତ ଏହାର ଜଣେ ଶ୍ରେଷ୍ଠ ଦେଶଭକ୍ତଙ୍କୁ ହରାଇଲା ଏବଂ ରୁଷ୍‌ ମଧ୍ୟ ଜଣେ ଘନିଷ୍ଠ ବନ୍ଧୁଙ୍କୁ ହରାଇଲା । ଭାରତ ଏବଂ ରୁଷ୍‌ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ଏବଂ ରଣନୈତିକ ସମ୍ପର୍କ ସୁଦୃଢ଼ କରିବା ଦିଗରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଇସ୍ରାଏଲ ଏବଂ ପାକିସ୍ତାନ ମଧ୍ୟ ରାୱତଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ରାୱତଙ୍କୁ ଜଣେ ପ୍ରକୃତ ବନ୍ଧୁ ବୋଲି କହିଛନ୍ତି । ଭାରତ ଏବଂ ଇସ୍ରାଏଲ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କ ସୁଦୃଢ଼ କରିବାରେ ତାଙ୍କର ବଳିଷ୍ଠ ଭୂମିକା ଥିଲା ବୋଲି ସେ କହିଛନ୍ତି ।