ଉଚ୍ଚ ସ୍ତରୀୟ କୂଟନୈତିକ ବୈଠକ ପରେ ଫିଟିଲା ବାଟ: ପୂର୍ବ ଲଦାଖର ବିବାଦୀୟ ସୀମା ଅଂଚଳରୁ ସମ୍ପୂର୍ଣ୍ଣ ସେନା ଫେରାଇ ନେବାକୁ ରାଜି ହେଲେ ଉଭୟ ଭାରତ ଓ ଚୀନ୍

ଜୁନ୍ ୧୫ ମଧ୍ୟରାତ୍ରିରୁ ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ପର ଠାରୁ ଏଲଏସିରେ ଥିଲା ଉତେଜନା

129

କନକ ବ୍ୟୁରୋ: ବୈଠକ ପରେ ଫିଟିଲା ବାଟ । ବିବାଦୀୟ ସୀମାରୁ ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କରିବେ ଭାରତ ଓ ଚୀନ୍ । ଏଲଏସିରେ ସଂପୂର୍ଣ୍ଣ ଶାନ୍ତି ଓ ସ୍ଥିରତା ଆଣିବାକୁ ଦୁଇ ଦେଶ ସହମତ ହୋଇଛନ୍ତି । ଦୁଇ ଦେଶର ଉଚ୍ଚ କୂଟନୈତିକ ସ୍ତରୀୟ ଆଲୋଚନାରେ ଏନେଇ ସହମତି ପ୍ରକାଶ ପାଇଛି । ଶୁକ୍ରବାର ଭାରତର ବୈଦେଶିକ ମନ୍ତ୍ରାଳୟର ଯୁଗ୍ମ ସଚିବ ଏବଂ ଚୀନ୍ ପ୍ରତିପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହା ପରେ ଏଲଏସିର ବିବାଦୀୟ ଅଂଚଳରୁ ସଂପୂର୍ଣ୍ଣ ସେନା ପ୍ରତ୍ୟାହାର ପାଇଁ ସହମତି ଦେଖାଇଛି ଚୀନ୍ ।

ଗତ ଜୁନ୍ ୬ ତାରିଖରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନ୍ର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ୨ ଘଂଟା ଧରି ଟେଲିଫୋନରେ ଆଲୋଚନା ପରେ ଲାଇନ ଅଫ ଆକଚୁଆଲ କଂଟ୍ରୋଲ ବା ଏଲଏସି ନିକଟରେ ଉଭୟ ଦେଶ ସେନା ପ୍ରତ୍ୟାହାର କରିବା ପାଇଁ ସହମତି ପ୍ରକାଶ ପାଇଥିଲା । ଗଲୱାନ ଘାଟିର ଫିଙ୍ଗର ୪ ସହ ଅନ୍ୟ ଅଂଚଳରୁ ସେନାକୁ ପଛକୁ ଫେରାଇ ନେବାକୁ ରାଜି ହୋଇଥିଲା ଚୀନ୍ । ତେବେ ଗଲୱାନ ଘାଟିରୁ ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର କଥା ସେତେବେଳେ ପାଳନ କରିନଥିଲା ଚୀନ୍ ।

ଏହାପରେ ପୁଣି ଥରେ ଦୁଇ ଦେଶର କୂଟନୈତିକ ସ୍ତରୀୟ ଆଲୋଚନା ପରେ ଚୀନ୍ ଓ ଭାରତ ଏଲଏସିର ବିବାଦୀୟ ସୀମା ଅଂଚଳରୁ ସୈନ୍ୟ ପୁରା ପ୍ରତ୍ୟାହାର କରିନେବାକୁ ରାଜି ହୋଇଛନ୍ତି । ଜୁନ୍ ୧୫ ତାରିଖ ମଧ୍ୟରାତ୍ରିରେ ଗଲୱାନ ଘାଟିରେ ଭାରତୀୟ ସେନା ଉପରେ ଚୀନ୍ ସେନା ଆକ୍ରମଣ କରିଥିଲା । ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହା ପରଠାରୁ ଏଲଏସିରେ ଲାଗି ରହିଥିଲା ଉତେଜନା ।