ସଂସଦରେ ଉଠିଲା ଭାରତ-ଚୀନ ବିବାଦ ପ୍ରସଙ୍ଗ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରଖିଲେ ବିବୃତି : କହିଲେ, ଲଦାଖରେ ଯବାନଙ୍କ ମନୋବଳ ବୃଦ୍ଧି କରାଯାଉଛି

165

କନକ ବ୍ୟୁରୋ : ଲଦାଖରେ ଭାରତ-ଚୀନ ବିବାଦ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲୋକସଭାରେ ବୟାନ ଦେଇଛନ୍ତି । ରାଜନାଥ ସିଂ କହିଛନ୍ତି ଲଦାଖରେ ଯବାନଙ୍କ ମନୋବଳ ବୃଦ୍ଧି କରାଯାଉଛି । ଆମ ସୈନ୍ୟ ବଳିଦାନ ଦେଇଛନ୍ତି । ସୀମା ବିବାଦ ଏକ ଜଟିଳ ସମସ୍ୟା । ଏହାକୁ ଶାନ୍ତିପୂର୍ଣ୍ ଭାବେ ସମାଧାନ କରିବା ଦରକାର ।

ସେ ଆହୁରି ମଧ୍ୟ କହିଛନ୍ତି, ଏଲଏସିରେ ଚୀନ ସୈନ୍ୟ ସୀମା ଉଲ୍ଲଘଂନ କରିଥିଲେ । ଏଥିପାଇଁ ୬ ଜୁନରେ ବୁଝାମଣା ହୋଇଥିଲେ । ଉଭୟ ଦେଶ ଏହାକୁ ମାନିଥିଲେ । ହେଲେ ଜୁନ ୧୫ ତାରିଖରେ ଚୀନ୍ ଏହାକୁ ଉଲ୍ଲଘଂନ କରିଥିଲା । ଏଥିପାଇଁ ଗଲୱାନରେ ହିଂସାକାଣ୍ଡ ହୋଇଥିଲା । ଏଥିରେ ଭାରତ ଓ ଚୀନଙ୍କୁ କ୍ଷତି ସହିବାକୁ ପଡିଥିଲା । ଚୀନର ଉଦ୍ଦେଶ୍ୟକୁ ଆମେ ଗ୍ରହଣ କରୁନାହୁଁ ।

ଚୀନ ଏଭଳି କରିବା ଦ୍ୱାରା ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଉଲ୍ଲଘଂନ ହୋଇଛି । ଏଲଏସିର ରୂପରେଖ ବଦଳାଇବା ଉଦ୍ଦେଶ୍ୟରେ ରହିଛି ଚୀନ । ଆମେ ସବୁ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ । ଆମ ସୈନ୍ୟ ଉପରେ ଆମେ ଗର୍ବ କରୁଛୁ । ସୈନ୍ୟ ସଫଳତାର ସହ ଏଭଳି ପରିସ୍ଥିତିକୁ ସାମ୍ନା କରିଛନ୍ତି । ଆମ ସୀମାକୁ ସୁରକ୍ଷା ମଧ୍ୟ ଦେଇଛନ୍ତି ।

ଗତ କିଛି ମାସ ଧରି ପୂର୍ବ ଲଦାଖରେ ଉତ୍ତେଜନା ଜାରି ରହିଛି । ଦୁଇଦେଶର ସେନା ଅନେକବାର ମୁହାଁମୁହିଁ ହୋଇଛନ୍ତି । ଦୁଇଦେଶର ସୈନ୍ୟସ୍ତରୀୟ କଥାବାର୍ତା ପରେ ବି ସ୍ଥିତିରେ କୌଣସି ପରବିର୍ତନ ହେଉନାହିଁ । ସରକାର ଏ ନେଇ ବୟାନ ଦେବାକୁ ବିରୋଧୀ ବାରମ୍ବାର ଦାବି କରିଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ଆଜି ରାଜନାଥ ସିଂ ଲୋକସଭାରେ ବୟାନ ଦେଇଛନ୍ତି ।

କିଛି ଦିନ ତଳେ ଋଷର ରାଜଧାନୀ ମସ୍କୋରେ ସାଂଘାଇ ସହଯୋଗ ସଙ୍ଗଠନ ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା । ଭାରତ ଓ ଚୀନର ପ୍ରତିରକ୍ଷା ମନ୍ତ୍ରୀ ପ୍ରାୟ ଦୁଇ ଧରି ବୈଠକ ବସିଥିଲା । ଏଥିରେ ସ୍ଥିର ହୋଇଥିଲା ଯେ, ଦୁଇଦେଶ କଥାବାର୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବେ । କିନ୍ତୁ ବିବାଦୟୀ ସ୍ଥାନରେ ସେନା କେବେ ହଟିବେ ସେ ନେଇ କିଛି ନିଷ୍ପତ୍ତିି ନିଆଯାଇନଥିଲା । ଏହାପରେ ମସ୍କୋରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ କଥାବାର୍ତା ବି ହୋଇଥିଲା । ପୂର୍ବ ଲଦାଖର ଏଲଏସିରେ ଗତ କିଛି ଦିନ ମଧ୍ୟରେ ଭାରତ-ଚୀନ ସୈନିକ ମୁହାଁମୁହିଁ ହୋଇଛନ୍ତି । କୂଟନୈତିକ ସ୍ତରରେ ଏହାକୁ ସାମାନ୍ୟ କରିବାକୁ ଉଦ୍ୟମ କରାଯାଉଛି ।