ଦୀପିକାଙ୍କ ବଡ ଉପଲବ୍ଧି: ଏହି ଆୱାର୍ଡ ପାଇବାରେ ଦୀପିକା ପ୍ରଥମ ଭାରତୀୟ ଅଭିନେତ୍ରୀ

239
କନକ ବ୍ୟୁରୋ: ବଲିଉଡର ଲୋକପ୍ରିୟ ଓ ସଫଳ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମିଳିଛି ଆଉ ଏକ ବଡ ଉପଲବ୍ଧି । ଦୀପିକାଙ୍କୁ ଅନ୍ତରାଷ୍ଟ୍ରିୟ ମଞ୍ଚ ଦ୍ୱାରା ବଲିଉଡର ସର୍ବଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଗ୍ଲୋବାଲ ଆଚିଭର୍ସ ଆୱାର୍ଡ-୨୦୨୧ ସମ୍ମାନରେ ସମ୍ମାନୀତ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଆୱାର୍ଡ ଜିତିବାରେ ଦୀପିକା ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ପ୍ରଥମ ଅଭିନେତ୍ରୀ ଏବଂ ପ୍ରଥମ ଭାରତୀୟ ଅଭିନେତ୍ରୀ  ।ଏହା ପୂର୍ବରୁ ଏହି ସମ୍ମାନ କୌଣସି ଭାରତୀୟ କଳକାରଙ୍କୁ ମିଳିନାହିଁ ।
ଦୀପିକା ଜଣେ ଅଭିଜ୍ଞ ଅଭିନେତ୍ରୀ, ଯାହାର ସାରା ବିଶ୍ୱରେ ଫ୍ୟାନ୍ ଫଲୋଅର୍ସ ଅଛନ୍ତି । ଏହା ପୂର୍ବରୁ ମଧ୍ୟ ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ଅନେକ ଆୱାର୍ଡ ମିଳିଛି । କିନ୍ତୁ ଗ୍ଲୋବାଲ ଆଚିଭର୍ସ ଆୱାର୍ଡ ପରି ସମ୍ମାନ ବାସ୍ତବିକ ଏକ ବଡ ଅନୁଭୂତି । କାରଣ ଏହି ଆୱାର୍ଡ ପାଇଁ ବିଶ୍ୱର ବିଭିନ୍ନ କ୍ଷେତ୍ରରୁ ଦକ୍ଷ ବ୍ୟକ୍ତିତ୍ୱଙ୍କୁ ଚୟନ କରାଯାଇଥାଏ । ଏଥିପାଇଁ ବରାକ୍ ଓବାମା, ଜେଫ୍ ବେଜୋସ୍୍, କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ସମେତ ଭିନ୍ନ ଭିନ୍ନ କ୍ଷେତ୍ରରୁ ପାଖାପାଖି ୩୦୦୦ରୁ ଅଧିକ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ନାଁ ନାମାଙ୍କିତ ହୋଇଥିଲା । ଏପରି କ୍ଷେତ୍ରରେ କାହାରିକୁ ଚୟନ କରିବା ବିଚାରକ ମଣ୍ଡଳୀଙ୍କ ପାଇଁ ଏକ ବଡ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ।ତେଣୁ ଏହି ତାଲିକାରେ ଅଭିନୟ କ୍ଷେତ୍ରରୁ ଦୀପିକାଙ୍କ ନାଁ ବଛାଯିବା ସବୁଠୁ ବଡ ଉପଲବ୍ଧି ।

ଏହା ପୂର୍ବରୁ ଗତ ମାସରେ ଜାରି ହୋଇଥିବା ଏସିଆର ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଦୀପିକାଙ୍କୁ ସାମିଲ କରାଯାଇଥିଲା । ଏହି ଲିଷ୍ଟରେ ଟେଲିଭିଜନ୍ ଓ ଫିଲ୍ମ ୱାର୍ଲ୍ଡ କାଟାଗରୀରେ ଦୀପିକା ଶୀର୍ଷ ସ୍ଥାନରେ ଥିଲେ । ଏହି ତାଲିକା ପ୍ରସ୍ତୁତି ପାଇଁ ସୋସିଆଲ ମିଡିଆ ଫଲୋଅର୍ସ, ଗୁଗୁଲ ସର୍ଚ୍ଚ ଓ ଅନ୍ୟ ରାଙ୍କ ଗୁଡିକୁ ଅଧାର ଭାବେ ନିଆଯାଇଥିଲା, ଯେଉଁଥିରେ ଦୀପିକାଙ୍କ ସ୍ଥାନ ଶୀର୍ଷରେ ରହିଛି ।

ଦୀପିକାଙ୍କ ପାଖରେ ଏବେ ଫିଲ୍ମର ଲାଇନ ଲାଗିଛି । ବର୍ତ୍ତମାନ ଋିିତିକ୍ ରୋଶନଙ୍କ ସହ ଫିଲ୍ମ ‘ଫାଇଟର’ର ସୁଟିଂରେ ବ୍ୟସ୍ତ ଅଛନ୍ତି ଦୀପିକା । ଏହାସହ ଶକୁନ ବାତ୍ରାଙ୍କ ଏକ ଅନଲାଇନ୍ ଫିଲ୍ମରେ ଅନନ୍ୟା ପାଣ୍ଡେ ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ନଜର ଆସିବେ ଦୀପିକା ।ରଣବୀର ସିଂହଙ୍କ ଅଭିନୀତ ଫିଲ୍ମ ‘83’ ର ସୁଟିଂ ଶେଷ ହୋଇଛି । ହେଲେ କରୋନା ଯୋଗୁଁ ଏହାର ରିଲିଜ୍ରେ ବିଳମ୍ବ ହୋଇଛି । ଏହି ଫିଲ୍ମ କ୍ରିସମାସ୍ ଉପଲକ୍ଷେ ରିଲିଜ୍ ହେବାର ସୂଚନା ରହିଛି । ଫିଲ୍ମ ‘83’ ଲିଜେଣ୍ଡ କ୍ରିକେଟର କପିଲ ଦେବଙ୍କ ବାୟୋପିକ୍ । ଏଥିରେ କପିଲଙ୍କ ଭୂମିକାରେ ରଣବୀର ଅବତୀର୍ଣ୍ଣ ହୋଇଥିବାବେଳେ ଦୀପିକା ତାଙ୍କର ପତ୍ନୀ ରୋମି ଦେବଙ୍କ ଚିରିତ୍ରରେ ଅଛନ୍ତି । ଏସବୁ ବାଦ୍ ତାଙ୍କ ପାଖରେ ଆଉ ଦୁଇଟି ଫିଲ୍ମ ରହିଛି, ଯାହାର କୌଣସି ଔପଚାରିକ ଘୋଷଣା ହୋଇନାହିଁ ।