ଆଇପିଏଲ ଟିମ୍ ନିଲାମ ରେସରେ ବଲିଉଡ୍ ଯୋଡି । ନୂଆ ଟିମ୍ କିଣିବାକୁ ଆଗ୍ରହ ଦେଖାଇଲେ ରଣବୀର-ଦୀପିକା ।

270

କନକ ବ୍ୟୁରୋ: ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ୧୪ ତମ ସଂସ୍କରଣ ଶେଷ ହେବାକୁ ଦିନ କେଇଟା ହୋଇଛି, ହେଲେ ଏବେଠୁ ୧୫ ତମ ସଂସ୍କରଣକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ଆଇପିଏଲର ଆଗାମୀ ସିଜିନରେ ଦର୍ଶକମାନେ ୧୦ଟି ଟିମ୍ ଦେଖିବାକୁ ପାଇବେ । ଯେଉଁଥିପାଇଁ ବିସିସିଆଇ ଏବେ ଦୁଇ ନୂଆ ଟିମ୍ ଟୁର୍ଣ୍ଣାମେଣ୍ଟରେ ସାମିଲ କରିବାକୁ କାମ ଆରମ୍ଭ କରିଦେଇଛି । ଏଥିପାଇଁ ଅନେକ ବଡ ବଡ କମ୍ପାନୀ ମଧ୍ୟ ରେସରେ ଥିବା ସୂଚନା ମିଳୁଛି । ହେଲେ ଏହାରି ଭିତରେ ବଲିଉଡର ଷ୍ଟାର ଯୋଡି ରଣବୀର-ଦୀପିକା ମଧ୍ୟ ଆଇପିଏଲ୍ ଟିମ୍ କିଣିବା ପାଇଁ ରେସରେ ଅଛନ୍ତି ବୋଲି ସୂଚନା ମିଳିଛି ।

ନ୍ୟୁଜ ମାଗାଜିନ୍ ଆଉଟଲୁକର ଏକ ରିପୋର୍ଟ ମୁତାବକ, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଷ୍ଟାର ଯୋଡି ରଣବୀର ସିଂହ ଓ ଦୀପିକା ପାଦୁକୋନ୍ ଆଇପିଏଲ୍ ଟିମ୍ କିଣିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏଥିପାଇଁ ସେ ନିଲାମ ପ୍ରକ୍ରିୟାରେ ମଧ୍ୟ ସାମିଲ ହୋଇଛନ୍ତି । ତେବେ ଦୀପିକା ଓ ରଣବୀର ଉଭୟ ଫିଲ୍ମ ସହିତ କ୍ରୀଡା ଜଗତରେ ମଧ୍ୟ ନିଜର ରୁଚି ରଖିଥାନ୍ତି । ଦୀପିକା ନିଜେ ଜଣେ ଜାତୀୟ ସ୍ତରର ବ୍ୟାଡମିଣ୍ଟନ ଖେଳାଳି ହୋଇଥିବାବେଳେ, ରଣବୀର ଏନବିଏ ଭଳି ଗ୍ଲୋଣ୍ଲ ଲିଗର ଭାରତୀୟ ବ୍ରାଡ୍ ଆମ୍ବାସାଡର ଅଛନ୍ତି । ତେଣୁ ଏହି ଫିଲ୍ମ ଯୋଡି ଆଇପିଏଲ୍ ଟିମ୍ କିଣିବା ଚର୍ଚ୍ଚା ଏବେ ଜୋର ଧରିଛି ।

ସୂଚନାଯୋଗ୍ୟ ଯେ, ବଲିଉଡ୍ ଷ୍ଟାର ଶାହାରୁଖ ଖାନ୍, ଜୁହି ଚାୱଲା ଆଇପିଏଲ ଟିମ୍ କେକେଆରରେ ମାଲିକାନା ଅଛି । ସେହିଭଳି ପ୍ରିତୀ ଜିଣ୍ଟା ମଧ୍ୟ ପଞ୍ଜାବ କିଙ୍ଗସର ମାଲିକ ଅଛନ୍ତି । ଏବେ ଯଦି ଏହି ଲିଷ୍ଟରେ ରଣବୀର-ଦୀପିକା ମଧ୍ୟ ସାମିଲ ହୋଇପାରନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦୁଇଟି ନୂଆ ଆଇପିଏଲ୍ ଟିମ୍ କିଣିବା ପାଇଁ ରେସ୍ ମଧ୍ୟ ଆରମ୍ଭ ହୋଇଛି । ଜଣାଶୁଣା ଉଦ୍ୟୋଗପତି ଅଦାନୀଙ୍କ କମ୍ପାନୀ ଆଦାନୀ ଗ୍ରୁପ, କୋଟକ ଗ୍ରୁପ, ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ ଆଇପିଏଲ ଟିମ୍ କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ଶେଷରେ ଏହି ଦୁଇ ଦଳର ମାଲିକାନା କିଏ ହାସଲ କରୁଛି ତାହା ଦେଖିବାକୁ ବାକି ରହିଲା ।