ଜେଏନୟୁରେ ଦୀପିକାଙ୍କ ଉପସ୍ଥିତିକୁ ନେଇ ବିବାଦ । ଦୀପିକାଙ୍କ ଆଗାମୀ ଫିଲ୍ମକୁ ବର୍ଜନ ପାଇଁ ବିଜେପି ନେତାଙ୍କ ଆହ୍ୱାନ, ସେପଟେ ସମର୍ଥନରେ ବାହାରିଲେ ବଲିଉଡ଼ ଓ ସାମାଜିକ ସଂଗଠନ ।

321

କନକ ବ୍ୟୁରୋ : ଜେଏନୟୁରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଉପସ୍ଥିତିକୁ ନେଇ ବଢିଲା ବିବାଦ । ସୋସିଆଲ ମିଡିଆ ଏବଂ ରାଜନୈତିକ ମହଲରେ ଝଡ ସୃଷ୍ଟି ହୋଇଛି । କିଛି ଦୀପିକାଙ୍କ ସମର୍ଥନରେ ବାହାରିଥିବା ବେଳେ ଆଉ କିଛି ତାଙ୍କୁ ବିରୋଧ କରିଛନ୍ତି । ଏହି ପ୍ରସଙ୍ଗରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଥିବା ବେଳେ ବଲିଉଡ କଳାକାରଙ୍କ ସମେତ ଜେଏନ୍ୟୁ ଛାତ୍ର ସଂସଦର ନେତା ଓ ପୂର୍ବତନ ନେତା ଦୀପିକାକୁ ସମର୍ଥନ କରିଛନ୍ତି ।

ଜେଏନୟୁ ପରିସରରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏହି ଉପସ୍ଥିତିକୁ ନେଇ ଏବେ ସୋସିଆଲ ମିଡ଼ିଆରୁ ଆରମ୍ଭ କରି କ୍ଷମତା ରାଜନୀତି ଗଳିରେ ଏକ ନୂଆ ଝଡ଼ ସୃଷ୍ଟି କରିଛି । ଦୁଇଟି ଭାଗରେ ବିଭକ୍ତ ହୋଇଛି ସୋସିଆଲ ମିଡ଼ିଆ । ଯେଉଁମାନେ ଜେଏନୟୁ ଛାତ୍ରଛାତ୍ରୀଙ୍କ ପ୍ରତିବାଦରେ ଦୀପିକାଙ୍କ ଉପସ୍ଥିତିକୁ ବିରୋଧ କରୁଛନ୍ତି ସେମାନେ, ହେଜଟେକ୍ ବୟକଟ୍ ଦୀପିକା ପାଦୁକୋନ ନାଁରେ ଏବଂ ହେଜଟେକ୍ ବୟକଟ ଛପକ୍ ନାଁରେ ଅଭିଯାନ ଆରମ୍ଭ କରିଛନ୍ତି । ଏପଟେ ଦୀପିକାଙ୍କ ସମର୍ଥନରେ ବାହାରିଛି ଆଉ ଏକ ଗୋଷ୍ଠୀ, ଯେଉଁମାନେ ହେଜଜେକ୍ ଛପକ୍ ଦେଖୋଟପକ୍ସେ ନାଁରେ ଟ୍ୱିଟରରେ କ୍ୟାମ୍ପେନ୍ ଚଳାଇଛନ୍ତି ।

ମଙ୍ଗଳବାର ସନ୍ଧ୍ୟାରେ ଦୀପିକା ପାଦୁକୋନ୍ ଦିଲ୍ଲୀର ଜବାହାର ଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ ପରିସରରେ ନଜର ଆସିଥିଲେ, ଯେତେବେଳେ ଛାତ୍ରଛାତ୍ରୀମାନେ ହିଂସାକାଣ୍ଡ ଘଟଣାର ବିରୋଧ କରୁଥିଲେ । କାହାକୁ କିଛି କହିନଥିଲେ ମଧ୍ୟ ଦୀପିକା, ଧାରଣାରତ ଛାତ୍ରଛାତ୍ରୀଙ୍କ ସହ ଛିଡା ହୋଇଥିଲେ । ଆଉ ଏହି ସମୟରେ ଜୟ ଭଗତ ସିଂହ ଓ ଜୟ ଭୀମର ନାରା ଦେଉଥିଲେ ଜେଏନୟୁ ପୂର୍ବତନ ଛାତ୍ରନେତା କହ୍ନେୟା କୁମାର ।

ଆଉ ଏହି ଘଟଣା ଏବେ ରାଜନୀତିରେ ନିଆଁ ଲଗାଇ ଦେଇଛି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଟ୍ୱିଟ୍ କରି ଲେଖିଛନ୍ତି, ପ୍ରକୃତ ଟୁକଡେ ଟୁକଡେ ଗ୍ୟାଙ୍ଗ ହିଁ ଠିଆ ହେବେ ଏବଂ ଫଟୋ ଉଠାଇବା ପାଇଁ ସମବେଦନା ଜଣାଇବେ । କିଏ, ଏହି ଖାନ୍ ମାର୍କେଟ୍ ଗ୍ୟାଙ୍ଗର ବ୍ୟକ୍ତି ନାଁ ଗଣିବେ କି ? ଯେଉଁମାନେ ସମର୍ଥନ ଯୋଗାଡ଼ ପାଇଁ ଲାହୋର ଯିବା ପାଇଁ ଯୋଜନା କରୁଛନ୍ତି ?

ଅନୁରୂପ ଭାବରେ ଦିଲ୍ଲୀ ବିଜେପି ମୁଖପାତ୍ର ତାଜିନ୍ଦରପାଲ ସିଂହ ବଗଗା, ଦୀପିକାଙ୍କ ଆଗାମୀ ଫିଲ୍ମ ଛପାକକୁ ବର୍ଜନ କରିବାକୁ ଆହ୍ୱାନ ଦେଇ ଟ୍ୱିଟ୍ କରିଛନ୍ତି । ଏପଟେ ଦୀପିକାଙ୍କ ସମର୍ଥନରେ ବି ବାହାରି ଆସିଛନ୍ତି ଦେଶର ବିଭିନ୍ନ ବର୍ଗର ଲୋକ । ବଲିଉଡ କଳାକାରଙ୍କ ସମେତ ଜେଏନୟୁ ଛାତ୍ର ସଂସଦର ନେତା ଓ ପୂର୍ବତନ ନେତା ଦୀପିକାଙ୍କୁ ସମର୍ଥନ କରିଛନ୍ତି । ଉମର ଖାଲିଦ୍ ଟ୍ୱିଟ୍ କରି ଲେଖିଛନ୍ତି, ଫାଶୀବାଦୀ ଗୁଣ୍ଡାଙ୍କ ବିରୋଧରେ ଏବଂ ଛାତ୍ରଛାତ୍ରୀଙ୍କ ସହ ଛିଡ଼ା ହୋଇଥିବା ଦୀପିକା ପାଦୁକୋନଙ୍କୁ ଧନ୍ୟବାଦ । ଖାନ୍ ଅଙ୍କିଲ୍ ଯଦି ଆପଣଙ୍କ ସ୍ୱାଭିମାନ ବଂଚିଛି ତେବେ ଏବେ ତ କିଛି ପରିବର୍ତ୍ତନ କର ।