କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛିି କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ । ବର୍ଣ୍ଣାଢ଼ କାର୍ଯ୍ୟକ୍ରମରେ କ୍ରୀଡ଼ା ମହାକୁମ୍ଭର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଛି । ମହାମାରୀ କରୋନା ସାରା ବିଶ୍ୱରେ ତାର କାୟା ବିସ୍ତାର କରିଥିବା ବେଳେ ୨୦୨୦ ରେ ଆୟୋଜିତ ହେବାପାଇଁ ଥିବା ବିଶ୍ୱର ସବୁଠାରୁ ବଡ କ୍ରୀଡା ପ୍ରତିଯୋଗିତା ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଂଚାଇ ଦିଆଯାଇଥିଲା । ଆଉ ଏବେ କରୋନାର ଦ୍ୱିତୀୟ ଲହରର ପ୍ରଭାବ ସାମାନ୍ୟ ହ୍ରାସ ପାଇଥିବା ବେଳେ ଜାପାନର ରାଜଧାନୀ ଟୋକିଓରେ ବିଭିନ୍ନ ମହାଦେଶର କ୍ରୀଡା ପ୍ରତିଭା ନିଜର ଶ୍ରେଷ୍ଠତ୍ୱ ପ୍ରମାଣିତ କରିବା ପାଇଁ ପରସ୍ପରର ମୁକାବିଲା କରିବେ ।
ଆଜି ସ୍ଥାନୀୟ ସମୟ ରାତି ୮ଟା ତଥା ଭାରତୀୟ ସମୟ ପ୍ରାୟ ସାଢ଼େ ୪ଟା ବେଳେ ଅଲିମ୍ପିକ୍ସର ଉଦଘାଟନ ଉତ୍ସବ ଆରମ୍ଭ ହେବ । ମୋଟ ୨୦୬ଟି ଦେଶର ଖେଳାଳୀ ୩୩ଟି ଭିନ୍ନ ଭିନ୍ନ ଖେଳରେ ଭାଗନେବେ । ଉଦଘାଟନୀ ଉତ୍ସବରେ ଭାରତର ୨୦ଜଣ ଖେଳାଳୀ ଏବଂ ୬ ଜଣ କର୍ମଚାରୀ ଭାଗନେବେ । ଉଦଘାଟନୀ ଦିବସରେ ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀଙ୍କ ପ୍ରଦର୍ଶନ ଉପରେ ଦେଶବାସୀଙ୍କ ନଜର ରହିବ । ୧୩୭ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତର ସମ୍ଭାବ୍ୟ ପଦକ ବିଜେତାଙ୍କ ଉପରେ ଏବେ ସମସ୍ତଙ୍କ ନଜର ।
ଜନସଂଖ୍ୟା ଓ ବିଶାଳତା ଦୃଷ୍ଟିରୁ ବିଚାର କଲେ ଭାରତର ଅଲିମ୍ପିକ୍ସ ଇତିହାସ ଏତେ ସମୃଦ୍ଧ ନୁହେଁ । ଅଲିମ୍ପିକ୍ସକୁ ନେଇ ଉତ୍ସାହର ମାହୋଲ ଥିବା ବେଳେ ମହାକୁମ୍ଭରେ ମହାମାରୀ ସାଜିଛି ସବୁଠୁ ବଡ ଅନ୍ତରାୟ । ଏବେ ପର୍ଯ୍ୟନ୍ତ ଖେଳାଳୀ ଓ ସହ ଯୋଗୀଙ୍କୁ ମିଶାଇ ୭୦ରୁ ଅଧିକ କରୋନାରେ ସଂକ୍ରମିତ ହୋଇସାରିଲେଣି । ତେବେ ଦେଶ ବିଦେଶର ଅନେକ ଖେଳାଳୀ ସେଠାରେ ପହଂଚିଥିବାରୁ ଜାପାନ ପ୍ରଶାସନ ପାଇଁ ଏକ ଚିନ୍ତାର କାରଣ ପାଲଟିଛି ।