କନକ ବ୍ୟୁରୋ : ଉତ୍ତର ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଜି ପଶ୍ଚିମ ଓଡିଶାରେ ବର୍ଷା ଜନିତ ସର୍ବାଧିକ ପ୍ରଭାବ ରହିବ । ପଶ୍ଚିମ ଓଡିଶାର ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଅଞ୍ଚଳରେ ଗଭୀର ଅବପାତ ସକ୍ରିୟ ରହିଛି । ଗତ ୬ଘଣ୍ଟାରେ ଘଣ୍ଟା ପ୍ରତି ୨୨ କିମି ବେଗରେ ଗତି କରୁଛି । ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରେ ଗଭୀର ଅବପାତ ଗତି କରୁଛି । ଆଗାମୀ ୨୪ଘଣ୍ଟାରେ ଝାଡଖଣ୍ଡରୁ ଉତ୍ତର ଛତିଶଗଡ ମୁହାଁ ହେବ । ପଶ୍ଚିମବଙ୍ଗ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା ଦେଇ ଛତିଶଗଡ ମୁହାଁ ହେବ । ପରବର୍ତ୍ତୀ ସମୟରେ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

Advertisment

ବର୍ଷାକୁ ଦୃଷ୍ଟିରେ ରଖି ପ୍ରସ୍ତୁତିକୁ ଜୋରଦାର କରିଛି ପ୍ରଶାସନ । ଉଦ୍ଧାର କାର୍ଯ୍ୟ ପାଇଁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁରକୁ ଅତିରିକ୍ତ ଉଦ୍ଧାରକାରୀ ଟିମ୍ ପଠାଯାଇଛି । ବାଲେଶ୍ୱରର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା ଓ ବୁଢ଼ାବଳଙ୍ଗ ନଦୀ ଉପରେ ନଜର ରଖାଯାଇଛି । ତେବେ ମହାନଦୀ ବେସନ୍ ଉପରେ ବିପଦର ଆଶଙ୍କା ନାହିଁ । ବର୍ଷା ଯୋଗୁଁ ତେଲ୍ ନଦୀର ଜଳସ୍ତର ବୃଦ୍ଧି ହୋଇଛି । ତେବେ ମହାନଦୀ ଓ ଏହାର ଶାଖାନଦୀରେ ଜଳସ୍ତର କମିବାରେ ଲାଗିଛି । ଦୁଇ ଦିନ ଧରି କୌଣସି ସ୍ଥାନରେ ନୂଆ ଘାଇ ହୋଇନାହିଁ । ସେହିପରି ଲଘୁଚାପ ପ୍ରଭାବରେ ଦୀଘା ସମେତ ବାଲେଶ୍ୱରରେ ପ୍ରବଳ ବର୍ଷା ଜାରି ରହିଛି ।