କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ‌ରେ ଦୁଇ ଦିନ ହେଲା ଉପକୂଳ ଓ ଆ‌ଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି  ଆଜି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ସମେତ ମହାନଦୀର ଉପରମୁଣ୍ଡ ତଥା ଛତିଶଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଦୁଇ ଦିନ‌ର ବର୍ଷାରେ ରାଜ୍ୟର ପ୍ରାୟ ସବୁ ବଡ଼ ନଦୀ ଏବେ ଫୁଲୁଥିବାରୁ ସାରା ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

Advertisment

ଏପଟେ ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୧୭ତାରିଖ ପାଖାପାଖି ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୮ତାରିଖ ସକାଳ ପାଖାପାଖି ଉତ୍ତର ଓଡ଼ିଶା ଉପକୂଳରେ ପହଞ୍ଚିବ । ଏହା ପ୍ରଭାବରେ ୧୭ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବ । ଯଦି ପାଣିପାଗ ବିଭାଗର ଏହି ଆକଳନ ସତ ହୁଏ ତେବେ ରାଜ୍ୟରେ ବଡ଼ ବନ୍ୟା ଆଶଙ୍କାକୁ ଏଡ଼ାଇ ହେବନି । ଏପଟେ ଦୁଇ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ବର, କଟକ, ପୁରୀ ସମେତ ସମସ୍ତ ସହରାଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉପକୂଳ ଓଡ଼ିଶାରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଆଜି ବର୍ଷା ଆରମ୍ଭ ହୋଇଯାଇଛି । ଫଳରେ ମହାନଦୀ, ବ୍ରାହ୍ମଣୀ, ବୈତରଣୀ,ଋଷିକୂଲ୍ୟା, ବଂଶଧାରା ସମେତ ମହାନଦୀର ସମସ୍ତ ଶାଖା ନଦୀରେ ଜଳ ସ୍ତର ବଢ଼ିବାରେ ଲାଗିଛି ।

ସେପଟେ, ଲଗାଣ ବର୍ଷାରେ ପୂରି ଉଠିଛି ହୀରାକୁଦ । କିଛିଦିନ ଧରି ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ଠାରୁ ଜଳସ୍ତର କମ୍‌ ଥିଲା । ଏହା ୬୨୫.୧୦ ଫୁଟ୍‌ରେ ପହଞ୍ଚିଛି ।ହୀରାକୁଦ ଜଳଭଣ୍ଡାରରେ ୨୪ ଘଣ୍ଟା ଧରି ହାରାହାରି ୮୦ ହଜାର କ୍ୟୁସେକ୍‌ ପାଣି ଗଚ୍ଛିତ ହେଲେ ଜଳସ୍ତର ୧ ଫୁଟ୍ ବୃଦ୍ଧି ପାଇଥାଏ । ତେଣୁ ବର୍ତ୍ତମାନ ପ୍ରବେଶ କରୁଥିବା ଜଳର ପରିମାଣ ୨୪ ଘଣ୍ଟା ଯାଏ ସମାନ ରହିଲେ ବା ୨ ଲକ୍ଷ କ୍ୟୁସେକ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇଲେ ହୀରାକୁଦ ଜଳସ୍ତର ମଙ୍ଗଳବାର ସଂଧ୍ୟା ସୁଦ୍ଧା ୬୨୭ ଫୁଟ୍ ପାଖାପାଖି ପହଞ୍ଚି ଯାଇପାରେ । ବର୍ତ୍ତମାନର ନିୟମ ଅନୁଯାୟୀ ସେପ୍‌ଟେମ୍ବର ୧୧ ସୁଦ୍ଧା ଜଳସ୍ତର ୬୨୪ରୁ ୬୨୯ ଫୁଟ୍‌ ମଧ୍ୟରେ, ସେପ୍‌ଟେମ୍ବର ୨୧ ସୁଦ୍ଧା ୬୨୯.୫ ଫୁଟ୍‌ରୁ ୬୩୦ ଫୁଟ୍ ମଧ୍ୟରେ ଅକ୍ଟୋବର ପହିଲା ସୁଦ୍ଧା ସର୍ବାଧିକ ୬୩୦ ଫୁଟ୍‌ ରଖାଯାଇ ପାରିବ । ତେବେ ପୂର୍ବର ରୁଲ୍‌ କର୍ଭ ଅନୁସାରେ ସେପ୍‌ଟେମ୍ବର ୧୫ ସୁଦ୍ଧା ଜଳସ୍ତର ୬୨୭.୮୦ ଫୁଟ୍‌ ରହିବା କଥା । ସେପ୍‌ଟେମ୍ବର ୧୫ ବେଳକୁ ଜଳଭଣ୍ଡାର ଏହି ସ୍ତରରେ ପହଞ୍ଚି ଯାଇଥିବ ଏବଂ ଜଳ‌ପ୍ରବେଶ ବୃଦ୍ଧି ପାଇଲେ ଗେଟ୍ ଖୋଲାଯିବ ବୋଲି ବିଶେଷଜ୍ଞଙ୍କ ସୂତ୍ରରୁ ପ୍ରକାଶ ।