କନକ ବ୍ୟୁରୋ: ସବୁକିଛି ଠିକଠାକ ଥିଲା । ମୁକ୍ତ ବିହଙ୍ଗ ପରି ଚାରିଆଡେ ବୁଲିଥିଲେ ଦୀପକ । ଜୀବନକୁ ନିଜ ଅନ୍ଦାଜରେ ବଂଚୁଥିଲେ । କିନ୍ତୁ ହଠାତ ସବୁ କିଛି ବଦଳିଗଲା । କେହି ଜଣେ ଆସି ଡେଣା ଛିଡାଇଦେଲା । ଜଣାପଡିଲା ବ୍ରେନ ଟ୍ୟୁମର ହୋଇଛି । ଜାଣିଲା ବେଳକୁ ବହୁ ବିଳମ୍ବ ହୋଇସାରିଥିଲା । ଗତ ୩ ବର୍ଷ ଭିତରେ ଦୀପକଙ୍କ ସବୁକିଛି ବଦଳିଯାଇଛି । ଧିରେ ଧିରେ ସ୍ୱାସ୍ଥ୍ୟ ବି ବିଗିଡି ଚାଲିଛି । ଅସ୍ତ୍ରୋପଚାର ହେଲା, କେମୋ ଥେରାପି ବି ନେଲେ କିନ୍ତୁ ଶେଷରେ ସବୁ କିଛି ଫେଲ ମାରିଲା ।
ଦୀପକଙ୍କ ଅବସ୍ଥା ଦେଖି ମା ବାପାଙ୍କ ଆଖିରୁ ବି ନିଦ ହଜିଯାଇଛି । ସମସ୍ତେ ଏବେ ମାନସିକ ଚାପରେ । ଆଉ ଏହି ସମୟରେ ଦୀପକଙ୍କୁ ଜୀଇଁବାର ମନ୍ତ୍ର ଦେଇଛି ପାଲିଆଟିଭ୍ କେୟାର । ଔଷଧ ଓ କେମୋ ଥେରାପି କାମ କରୁନଥିବାବେଳେ ପରିସ୍ଥିତିକୁ ମୁକାବିଲା କରିବାର ରାହା ଦେଖାଉଛି ପାଲିଆଟିଭ୍ କେୟାର । ନର୍ସ ଓ ଡାକ୍ତରଙ୍କ ଠାରୁ ସ୍ୱେଚ୍ଛାସେବୀ ଯାଏଁ ସମସ୍ତେ ଦୀପକଙ୍କ ସେବାରେ ଲାଗିପଡିଛନ୍ତି । ବିଶେଷଜ୍ଞ ଭଳି ନୁହେଁ ସାଙ୍ଗସାଥୀଙ୍କ ଭଳି ମିଶିଯାଇଛନ୍ତିି । ମୃତ୍ୟୁଶଯ୍ୟାରେ ଜୀବନ ବିତାଉଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅମୃତଧାରା ମାଗଣାରେ ଏହି ସେବା ଯୋଗାଇଆସୁଛି ।
ଅଭିନୟ ପ୍ରତି ଦୀପକଙ୍କର ବହୁ ରୁଚି ଥିଲା । ଅନେକ ମ୍ୟୁଜିକ ଭିଡିଓ ବି ସେ ବନାଇଛନ୍ତି । ଟିକେ ଫୁରସତ ମିଳିଲେ ସାଙ୍ଗସାଥୀଙ୍କ ମେଳରେ ବ୍ୟାଡମିଂଟନ ଖେଳିଥାନ୍ତି । କିନ୍ତୁ ପୁଅର ଏହି ଅବସ୍ଥା ଦେଖି ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ । ଦୀପକଙ୍କ ଆୟୁଷ ଆଉ ବେଶୀଦିନ ନୁହେଁ । ତାସତ୍ୱେ ଦୀପକଙ୍କ ଶେଷ ସମୟକୁ ଖୁସି କରିବାକୁ ସମସ୍ତେ ଜାରି ରଖିଛନ୍ତି ଉଦ୍ୟମ ।