କନକ ବ୍ୟୁରୋ : ଆଫାଗାନିସ୍ତାନରେ ଭାରତୀୟ ଦୂତବାସ ସୁରକ୍ଷା ଦାୟିତ୍ୱ ରେ ଥିବା ଓଡ଼ିଆ ଯବାନ ଦିପକ ଚୌଧୁରୀ ସୁରକ୍ଷିତ ଦିଲ୍ଲୀ ଫେରିଆସିଛନ୍ତି । କାନ୍ଦାହାରରେ ଥିବା ଭାରତୀୟ ବାଣିଜ୍ୟ ନିରାପତା ଦାୟିତ୍ୱରେ ଥିଲେ ଆଇଟିବିପିରେ କମାଣ୍ଡୋ ଭାବେ କାମ କରୁଥିବା ଦୀପକ । ୨୦୦୦ ମସିହାରୁ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଚଳିତ ବର୍ଷ ଫେବୃୟାରୀରେ ତାଙ୍କୁ ଆଫଗାନିସ୍ତାନ ପଠାଯାଇଥିଲା ।
ହେଲେ ସେଠାରେ ତାଲିବାନିଙ୍କ ଗତିବିଧି ବଢ଼ିବା ସହିତ ଆକ୍ରମଣ ହେବାରୁ ଗତ ଜୁଲାଇ ମାସରେ ଦୂତାବାସ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଦୂତବାସର ୭ଜଣ କର୍ମଚାରୀଙ୍କ ସହ ନିରପତା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ମଧ୍ୟ ଫେରାଇ ଅଣାଗଲା । ଚାରିପଟେ ଗୁଳି ଓ ରକେଟ ମାଡ଼ ଭିତରେ ଦୀପକଙ୍କୁ ମିଶାଇ ୪୫ ଜଣ ଭାରତୀୟ ଯବାନ ଆଶା ଆଶଙ୍କା ଭିତରେ ଥିଲେ । ତେବେ ଗତ ୧୦ ତାରିଖରେ ଭାରତୀୟ ବିମାନ ସି-୧୭ ଗ୍ଲୋବ ମାଷ୍ଟରରେ ଅନ୍ୟମାନଙ୍କ ସହ ଭାରତ ଫେରିଆସିଛନ୍ତି ଦୀପକ । ଏବେ ଦିଲ୍ଲୀରେ ଥିବା ବେଳେ ତାଙ୍କ ଆଫଗାନ ଅନୁଭୂତି କହିଛନ୍ତି ।
ଓଡ଼ିଆ ଯବାନ ଦୀପକ ଚୌଧୁରୀଙ୍କ ଘର କେନ୍ଦ୍ରାପଡ଼ା ମହାକାଳପଡ଼ାର ନଳଦିଆ ଶାସନ ଗାଁରେ । ଆଫଗାନସ୍ତାନରୁ ସେ ସୁରକ୍ଷିତ ଭାରତ ଫେରି ଆସିଥିବା ଜାଣିବା ପରେ ଆଶ୍ୱସ୍ତ ହୋଇଛନ୍ତି ତାଙ୍କ ପରିବାର ଲୋକ । ହେଲେ ଆଫଗାନିସ୍ତାନରେ ଥିବା ସମୟରେ ତାଲିବାନିଙ୍କ ଆକ୍ରମଣ ଖବର ଟିଭିରୁ ଦେଖି ବେଶ ଭୟଭୀତ ହୋଇପଡ଼ିଥିଲେ ଦୀପକଙ୍କ ବାପା, ମାଆ । ସୁରକ୍ଷାକର୍ମୀ ଭାବେ ଭାରତରୁ ଯାଇ ନିୟୋଜିତ ହୋଇଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରୁଥିଲେ ।