କନକ ବ୍ୟୁରୋ : ଚେନ୍ନାଇ ସୁପର କିଙ୍ଗସକୁ ଆଉ ଏକ ଝଟକା । ଲଗାତାର ପରାଜୟ ଭିତରେ ଚେନ୍ନାଇ କମବ୍ୟାକ୍ କରିବ ଏହାର ସମ୍ଭାବନା କ୍ଷୀଣ । ଆଉ ଏସବୁ ଭିତରେ ଚେନ୍ନାଇକୁ ଲାଗିଛି ଦୀପକ ଝଟକା । ଚେନ୍ନାଇର ଷ୍ଟାର ବୋଲର ଦୀପକ ଚହରଙ୍କୁ ପୁଣିଥରେ ଆଘାତ ଲାଗିଛି । ପୂର୍ବରୁ ଆଘାତ କାରଣରୁ ଆଇପିଏଲର ପ୍ରଥମ କିଛି ମ୍ୟାଚରୁ ବାଦ୍ ପଡିଥିଲେ ଦୀପକ । ଆଉ ଆହତ ସମସ୍ୟାରୁ ମୁକୁଳିବା ପାଇଁ ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ କରୁଥିଲେ ଚହର । କିନ୍ତୁ ଏଠାରେ ପୁଣିଥରେ ଆହତ ହୋଇଛନ୍ତି ଦୀପକ । ଏପରିକି ଆଇପିଏଲର ପରବର୍ତ୍ତୀ ମ୍ୟାଚ୍ ଗୁଡିକରେ ଦୀପକ୍ ପୁଣିଥରେ କମବ୍ୟାକ କରିପାରିବେ ତାହାକୁ ନେଇ ଆଶଙ୍କା ଦେଖାଦେଇଛି ।
ଚଳିତଥର ମହାନିଲାମୀରେ ଦୀପକ ଚହରଙ୍କୁ ଚେନ୍ନାଇ ୧୪ କୋଟି ଟଙ୍କା ଦେଇ କିଣିଥିଲା । କିନ୍ତୁ ଏଯାବତ ଗୋଟିଏ ବି ମ୍ୟାଚ୍ ଖେଳିନାହାନ୍ତି ଦୀପକ । ଚଳିତ ଟୁର୍ଣ୍ଣାମେଣ୍ଟରେ ଦୀପକ ଚହରଙ୍କ ବିନା ସଂଘର୍ଷ କରୁଛି ଚେନ୍ନାଇ । ଏବେ ଚେନ୍ନାଇ ପଏଣ୍ଟ ଟେବୁଲର ସବୁଠୁ ତଳେ ରହିଛି । ପ୍ରାୟ ଗୋଟିଏ ମାସ ହେବ ଏନସିଏରେ ଚହର ପ୍ରସ୍ତୁତି ଚଳାଇଥିବା ବେଳେ ପୁଣିଥରେ ଆହତ ହୋଇଛନ୍ତି । ଗତ ଫେବ୍ରୁଆରୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ରେ ଦୀପକ ଚହରଙ୍କୁ ଆଘାତ ଲାଗିଥିଲା । ଆଉ ମ୍ୟାଚ୍ ମଝିରୁ ହିଁ ପଡିଆ ଛାଡିଥିଲେ ଚହର ।