ଜାନୁଆରୀ ୨୬ରେ ଲାଲକିଲ୍ଲାରେ ହିଂସାକାଣ୍ଡ ଘଟଣା । ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁକୁ ୭ ଦିନ ପାଇଁ ରିମାଣ୍ଡରେ ନେଲା ପୋଲିସ ।

90

କନକ ବ୍ୟୁରୋ: ଲାଲକିଲ୍ଲା ହିଂସାକାଣ୍ଡ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁୁକୁ ମଙ୍ଗଳବାର ତିସ ହଜାରୀ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠି ବିଚାରପତି ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛନ୍ତି । ପୋଲିସ ପକ୍ଷରୁ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ ହୋଇଥିଲେ ହେଁ କୋର୍ଟ ୭ ଦିନ ପାଇଁ ରିମାଣ୍ଡ ଦେଇଛନ୍ତି । ମଙ୍ଗଳବାର କୋର୍ଟରେ ହାଜର ହେବା ସମୟରେ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଗତ ୧୫ ଦିନ ଧରି ଫେରାର୍ ରହିବା ପରେ ଦୀପ ସିଦ୍ଧୁଙ୍କୁ ମଙ୍ଗଳବାର ପଞ୍ଜାବର ଜିକରପୁରରୁ ଗିରଫ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦୀପ ସିଦ୍ଧୁକୁ ଗିରଫ କରିଛି । ଏହାପରେ ତାଙ୍କୁ ପଚରାଉଚୁରା କରିବା ସମୟରେ ଅନେକ ବଡ ଘଟଣାର ଖୁଲାସା ହୋଇଥିବା ଜଣାପଡିଛି ।

ଗତ ଜାନୁଆରୀ ୨୬ ତାରିଖରେ ଚାଷୀମାନେ ଲାଲକିଲ୍ଲା ଭିତରେ ପଶି ସେଠାରେ ନିଜର ଧର୍ମୀୟ ପତାକା ଉଡାଇଥିଲେ । ଦିଲ୍ଲୀରେ ପ୍ରବଳ ହିଂସାକାଣ୍ଡ ମଧ୍ୟ ହୋଇଥିଲା । ଏହି ଘଟଣାରେ ଚାଷୀଙ୍କୁ ଉସୁକାଇବା ଘଟଣାରେ ଦୀପ ସିଦ୍ଧୁୁକୁ ଖୋଜା ଚାଲିଥିଲା । ଆଜି ତାଙ୍କୁୁ ଗିରଫ କରି ପୋଲିସ ରିମାଣ୍ଡରେ ନିଆଯାଇଛି ।