ମହଙ୍ଗା ପଡିଲା ଜାନୁଆରୀ ୨୬ ର ଲାଲକିଲ୍ଲା ହିଂସା । ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ଗିରଫ୍ ପରେ ୭ ଦିନିଆ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍

61

କନକ ବ୍ୟୁରୋ : ୨୬ ଜାନୁଆରୀ ଦିନ କୃଷକ ମାନଙ୍କ ଟ୍ରକ୍ଟର ରାଲି ଆଳରେ ଦିଲ୍ଲୀର ଲାଲକିଲ୍ଲାରେ ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅଭିନେତା ଦୀପ୍ ସିଦ୍ଧୁଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମଙ୍ଗଳବାର ଦିନ ଗିରଫ୍ କରିଥିଲା । ଏହାପରେ ତାଙ୍କୁ ତୀସ୍ ହଜାରୀ କୋର୍ଟରେ ହାଜର କରିଥିଲା । ପୋଲିସର ଅନୁରୋଧ କ୍ରମେ କୋର୍ଟ ଦୀପଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇ ଦେଇଛି । ପୋଲିସ ୧୦ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଆବେଦନ କରିଥିବା ବେଳେ କୋର୍ଟ ୭ ଦିନର ରିମାଣ୍ଡ ଅବଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।

କହିରଖୁ କି ଜାନୁଆରୀ ୨୬ ତାରିଖରେ କୃଷକ ମାନେ ଟ୍ରାକ୍ଟର ମାର୍ଚ୍ଚ କରିବା ସମୟରେ କିଛି ଆନ୍ଦୋଳନକାରୀ କୃଷକ ଦିଲ୍ଲୀର ଲାଲକିଲ୍ଲା ଭିତରେ ପଶି ହିଂସା କରିବା ସହ ଧାର୍ମୀକ ପତାକା ଉଡାଇଥିଲେ । ଏହି ହିଂସା ଘଟାଇବାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ସେବେଠାରୁ ଫେରାର୍ ହୋଇଯାଇଥିଲେ । ପ୍ରାୟ ୧୫ ଦିନ ଫେରାର୍ ରହିବା ପରେ ପୋଲିସ ତାଙ୍କୁ ମଙ୍ଗଳବାର ଦିନ ଗିରଫ୍ କରିଥିଲା । ତାଙ୍କୁ ଧରାଇଦେବାକୁ ବି ପୋଲିସ ପକ୍ଷରୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା ।

ଫେରାର୍ ଥିବା ବେଳେ ଦୀପ ସିଦ୍ଧୁ ଲଗାତର ଭାବେ ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ବାର୍ତ୍ତା ଜାରି କରୁଥିଲେ । କୁହାଯାଉଛି ଯେ ଦୀପ୍ ଯେଉଁ ଭିଡିଓ ଅପଲୋଡ କରୁଥିଲେ ତାହା ପଛରେ ତାଙ୍କର ଜଣେ ମହିଳା ବନ୍ଧୁ ଥିବା ସନ୍ଦେହ କରାଯାଉଛି ।