କନକ ବ୍ୟୁରୋ: ଆଉ ଶବ ପଚିଯିବା ଭୟରେ ତରବରରେ ମୃତଦେହକୁ ଦାହ କରିବେନି ସମ୍ପର୍କୀୟ । କୌଣସି ବ୍ୟକ୍ତିକୁ ଅପେକ୍ଷା କରି ଯଦି ଡେରି ହେଉଛି ତେବେ ଶବ ନଷ୍ଟ ହେବାର ଆଉ ଡର ନାହିଁ । କାରଣ ଏବେ ସ୍ୱର୍ଗଦ୍ୱାରରେ ଉପଲବ୍ଧ ହେଲାଣି ଶବ ସଂରକ୍ଷଣ ଫ୍ରିଜର । ଯେଉଁଥିରେ ମୃତଦେହ ରଖି ଆପଣ କାହାର ପହଞ୍ଚିବା ଯାଏଁ ମଧ୍ୟ ଅପେକ୍ଷା କରିପାରିବେ । ଆଉ ସମ୍ପର୍କୀୟ, ପରିବାର, ପରିଜନ ଆସିବା ପରେ ଶବଦାହ କରିପାରିବେ ।
ସ୍ୱର୍ଗଦ୍ୱାରକୁ ସବୁଦିନ ବହୁ ସଂଖ୍ୟାରେ ଶବ, ଦାହ ପାଇଁ ଆସୁଛି । ରାଜ୍ୟର କୋଣ ଅନୁକୋଣରୁ ମୃତଦେହ ସଂସ୍କାର ପାଇଁ ଏଇ ସ୍ୱର୍ଗଦ୍ୱାରକୁ ଆସନ୍ତି । ଶବଦାହ ବେଳେ କିଏ ନିଜ ପୁଅ ଅପେକ୍ଷାରେ ଥାଏ ତ କିଏ ନିଜ ସ୍ୱାମୀ ଅପେକ୍ଷାରେ ଥାଏ । ଅନେକ ସମୟରେ ଦୂରଦୂରାନ୍ତର, ଦେଶ ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ଆସିବା ବାଟକୁ ଅନେଇ ଲୋକେ ଶବକୁ ସେମିତି ପକେଇ ରଖିବାର ଦେଖିବାକୁ ମିଳେ । କେଉଁଠି ପୁଅଟିଏ ବିଦେଶରୁ ଫେରି ନିଜ ମାଆ କିମ୍ବା ବାପାଙ୍କ ମୁହଁରେ ମୁଖାଗ୍ନି ଦିଏ ତ କେଉଁଠି ସ୍ୱାମୀକୁ ଅପେକ୍ଷା କରେ ସ୍ତ୍ରୀର ଶବ । କିନ୍ତୁ ପରିବାର, ପ୍ରିୟଜନଙ୍କ ପାଇଁ ଏଇ ଅପେକ୍ଷା ଭିତରେ ଧିରେଧିରେ ନଷ୍ଟ ହେବାରେ ଲାଗେ ମୃତଦେହ । ଶବ ପଚିଯିବ କହି ଦାହ ପାଇଁ ଜୁଇକୁ ନେବାକୁ ଇସାରା ଦିଅନ୍ତି ଶବଦାହ କରୁଥିବା ବ୍ୟକ୍ତି । ହେଲେ ଏଣିକି ବିନା ଦ୍ୱିଧାରେ ବି ଶବକୁ ସେମିତି ସତେଜ ରଖି ସମ୍ପର୍କୀୟଙ୍କ ପାଇଁ ଅପେକ୍ଷା କରିହେବ । କାରଣ ସ୍ୱର୍ଗଦ୍ୱାରରେ ଉପଲବ୍ଧ ହେଲାଣି ଶବ ପାଇଁ ଫ୍ରିଜର ବ୍ୟବସ୍ଥା ।
ତେବେ ଶବକୁ ନେଇ ସମ୍ପର୍କୀୟଙ୍କ ଏ ସମସ୍ୟାକୁ ବୁଝି ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ଶବ ସଂରକ୍ଷଣ ଫ୍ରିଜର ସୁବିଧା କରାଯାଇଛି । ସ୍ୱର୍ଗଦ୍ୱାରରେ ଏହି ସେବା ମଧ୍ୟ ଉପଲବ୍ଧ ଅଛି । ତେଣୁ ଯେ କେହି ବି ଚାହିଁଲେ ଏହାକୁ ନେଇ ଶବ ସଂରକ୍ଷଣ କରି ରଖିପାରିବେ । ତେବେ ଏଥିପାଇଁ ୨୪ ଘଣ୍ଟାକୁ ହଜାରେ ଟଙ୍କା ଦେୟ ଦେବାକୁ ପଡିବ ।
ତେବେ ଖାଲି ଶବ ପାଇଁ ନୁହେଁ ବରଂ ସ୍ୱର୍ଗଦ୍ୱାରରେ ଶବ ସହ ଯାଉଥିବା ଲୋକଙ୍କ ସୁବିଧା ସୁଯୋଗ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସ୍ୱର୍ଗଦ୍ୱାରରେ ନବୀକରଣ ହୋଇଛି । ଶବଦାହ ପାଇଁ ସ୍ୱତନ୍ତ୍ର ପିଣ୍ଡି ଆଉ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ସହ ଶବଦାହ କରିବାକୁ ଆସୁଥିବା ପରିଜନଙ୍କ ପାଇଁ ଅତ୍ୟାବଶ୍ୟକ ବ୍ୟବସ୍ଥା କରାଯାଇଛି । ଆଉ ଖୋଲିଛି କାଫେଟେରିଆ । ୬ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ତେଲେଙ୍ଗାନା ମହାପ୍ରସ୍ଥାନମ୍ ଢାଞ୍ଚାରେ ସ୍ୱର୍ଗଦ୍ୱାରର ରୂପରେଖ ବଦଳାଯାଇଛି । ତେବେ ଏଥିରେ ୨୮ ଟି ପିଣ୍ଡି ରହିଥିବା ବେଳେ ଶବଦାହ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି । କାଫେଟ୍ ଏରିଆରେ ୨୪ ଘଣ୍ଟିଆ ଜଳପାନ ବ୍ୟବସ୍ଥା ସହ ସ୍ନାକ୍ସ ଏବଂ ମୃଦୁ ପାନୀୟ ବ୍ୟବସ୍ଥା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/04/32-1.jpg)