ଅବପାତରେ ପରିଣତ ହେଲା ଗଭୀର ଅବପାତ । ପୁରୀଠାରୁ ଏବେ ୫୦ କିଲୋମିଟର ଦୂରରେ…

396

କନକ ବ୍ୟୁରୋ: ସମୁଦ୍ର ଭିତରେ ଏବେ ବଳ ହରାଇଛି ବାତ୍ୟା ଜୱାଦ । ପୂର୍ବରୁ ଏହା ଗଭୀର ଅବପାତରେ ପରିଣତ ହୋଇଥିବାବେଳେ, ଏବେ ଏହା ପୁଣି ବଳ ହରାଇ ଅବପାତରେ ପରିଣତ ହୋଇଛି । ପାଣିପାଗ ବିଭାଗ ତରଫରୁ ମିଳିଥିବା ସୂଚନା ମୁତାବକ, ଏବେ ଏହି ଅବପାତ ସମୁଦ୍ର ଭିତରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି ।

ଅନ୍ୟପଟେ ଏହି ଅବପାତ ଏବେ ପୁରୀଠାରୁ ୫୦ କିମି ଦୂରରେ ଥିବାବେଳେ, ପାରାଦୀପଠାରୁ ୧୦୦ କିମି ଓ ଗୋପାଳପୁରଠାରୁ ୧୩୦ କିମି ଦୂରରେ ରହିଛି । ସେହିପରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ଏହା ୩୭୦ କିମି ଦୂରରେ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଖାଲି ସେତିକି ନୁହେଁ, ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାବେଳେ ଓଡିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ମୁହାଁ ହେବ । ଏହାପରେ ଆଗାମୀ ୧୨ ଘଣ୍ଟା ଭିତରେ ଏହା ୱେଲ୍ ମାର୍କ ଲୋ ପ୍ରେସରରେ ପରିଣତ ହେବ ।

ଆଇଏମଡିର ଆକଳନ ଅନୁସାରେ, ପୁରୀ ପାଖ ଦେଇ ପଶ୍ଚିମବଙ୍ଗକୁ ଚାଲିଯିବ ‘ଜୱାଦ୍’ । ସମୁଦ୍ର ଭିତରେ ଦୁର୍ବଳ ହୋଇଯାଇଛି ଜୱାଦ । ଓଡ଼ିଶା ଉପକୂଳ ଦେଇ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇବା ସମ୍ଭାବନା ରହିଛି । ଗଭୀର ଅବପାତ ଭାବେ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି । ତେବେ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ଆଗାମୀ ୨୪ ଘଣ୍ଟା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।