ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ । ସମୁଦ୍ର ଭିତରେ ଘଣ୍ଟାପ୍ରତି ୭ କିମି ବେଗରେ ଗତି କରୁଛି ବାତ୍ୟା ।

404

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ବାତ୍ୟାର ରୂପ ନେଇସାରିଛି । ବାତ୍ୟାର ରୂପ ନେଇସାରିବା ପରେ ସମୁଦ୍ର ଭିତରେ ବାତ୍ୟାଟି ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି କରୁଛି । ଏନେଇ ଏବେ ତାଜା ଅପଡେଟ୍ ଦେଇଛି ପାଣିପାଗ ବିଭାଗ । ତେବେ ବଙ୍ଗୋପ ସାଗରର ପଶ୍ଚିମ ଦିଗ ଆଡକୁ ରହିଛି ଏହାର ଗତିପଥ । ୨୬ ତାରିଖ ବା ରବିବାର ସଂଧ୍ୟାରେ ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରର କଳିଙ୍ଗପାଟନମ ମଧ୍ୟରେ ମାଡ଼ ହେବ ବାତ୍ୟା ।

ବାତ୍ୟାର ପ୍ରଭାବରେ ବଡ଼ ଧରଣର ପବନ ହୋଇନପାରେ, ହେଲେ ରବିବାର ଦିନ ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି । ଏଥିପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ସେହିପରି ନୟାଗଡ଼, ଖୋର୍ଦ୍ଧା, ପୁରୀ, କଳାହାଣ୍ଡି ଆଦି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଏହିସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବାତ୍ୟା ଓ ଏହା ପ୍ରଭାବରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଥିବାରୁ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ।

ବାତ୍ୟା ଗୁଲ୍ ଆବ୍ ପ୍ରଭାବରେ ସବୁଠୁ ଅଧିକ ପବନ ବହିବ ଗଞ୍ଜାମ ଓ ଗଜପତି ଜିଲ୍ଲାରେ । ସ୍ଥଳ ଭାଗରେ ମାଡ ହେବା ବେଳେ ଗଞ୍ଜାମ, ଗଜପତି ଜିଲ୍ଲାରେ ୭୫ରୁ ୮୫କିଲୋମିଟର ବେଗରେ ପବନ ବହିପାରେ । ଏପରକିି ଘଣ୍ଟାକୁ ୯୫ କିଲୋମିଟର ବେଗରେ ପବନର ଝଟକା ଅନୁଭୂତ ହୋଇପାରେ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ସେହିପରି ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା, ପୁରୀ ଆଦି ଜିଲ୍ଲାରେ ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ସ୍ଥଳ ବିଶେଷରେ ଏହାର ଝଟକା ଘଣ୍ଟାକୁ ୭୫ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି ।