କିଛି ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ । ବାଂଲାଦେଶ ଉପକୂଳରେ କାଲି ଛୁଇଁବ ସ୍ଥଳଭାଗ ଓଡିଶା ଉପରେ ପଡିବନି ବିଶେଷ ପ୍ରଭାବ  ।

67

କନକ ବ୍ୟୁରୋ: ବଙ୍ଗୋପସାଗରରେ ବଳ ଗୋଟାଇ ଆଗକୁ ବଢ଼ୁଥିବା ଗଭୀର ଅବପାତ କିଛି ଘଂଟା ଭିତରେ ବାତ୍ୟାର ରୂପ ନେଇପାରେ । ଆଇଏମଡିର ଆକଳନ ଅନୁସାରେ ଗଭୀର ଅବପାତ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ଆସନ୍ତା ୧୨ ଘଂଟା ଭିତରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ବାତ୍ୟା ଧିରେ ଧିରେ ଉପକୂଳ ମୁହାଁ ହୋଇ ସମୁଦ୍ର ଭିତରେ ବାଂଲାଦେଶ ଆଡକୁ ଗତି କରିବ । ୧୮ତାରିଖ ସକାଳ ସୁଦ୍ଧା ବାଂଲାଦେଶର ମଂଗ୍ଲା ଓ ଖେପୁପରା ମଧ୍ୟଦେଇ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମମିଟର ଓ ସର୍ବାଧିକ ଘଣ୍ଟାପ୍ରତି ୮୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।

ତେବେ ଏହାର ପ୍ରଭାବ ସିଧାସଳଖ ଓଡିଶା ଉପରେ ପଡିବ ନାହିଁ । ଉପକୂଳ ଓଡିଶାର କିଛି ଅଂଚଳରେ ବର୍ଷା ହୋଇଛି । ଆଜି କେନ୍ଦ୍ରାପଡା, ଜଗତସିଂହପୁରର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୧୮ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି । ୧୯ତାରିଖରୁ ପାଗରେ ପରିବର୍ତନ ହୋଇ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଧାନ ଅମଳ ସମୟରେ ବର୍ଷା ହେବାର ସମ୍ଭାବନା ଥିବାରୁ ଚାଷୀଙ୍କୁ ସତର୍କ ରହିବାକୁ କୁହାଯାଇଛି । ଉପକୂଳ ଓଡିଶାର ଜମିରେ ଥିବା ପାଚିଲା ଧାନ ଓ ପନିପରିବାକୁ ଅମଳ କରି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ବନ୍ଦର ଗୁଡିକରେ ୧ନମ୍ବର ବିପଦ ସଂକେତ ଜାରି କରାଯାଇଛି । ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରି ଆସିବାକୁ କୁହାଯାଇଛି ।