କମୁଛି ସଂକ୍ରମଣ ବଢୁଛି ମୃତ୍ୟୁ ହାର । ଗତ ୪୮ ଦିନରେ କରୋନା ନେଲାଣି ୧.୪୦ ଲୋକଙ୍କ ଜୀବନ । ସେପଟେ ବଢିଚାଲିଛି ବ୍ଲାକ ଫଙ୍ଗସ୍ ସଂକ୍ରମିତଙ୍କ ସଂଖ୍ୟା

133

କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଗୋଟେପଟେ ଏବେ ଦୈନିକ ସଂକ୍ରମଣ ହାର କମୁଥିବା ବେଳେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା କିନ୍ତୁ ଥମିବାର ନା ନେଉନି । ଗତ ୨୪ ଘଂଟା ମଧ୍ୟରେ ୧,୯୬,୪୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ୧୩ ତାରିଖ ପରେ ଏହା ଦୈନିକ ସଂକ୍ରମଣରେ ସବୁଠାରୁ କମ୍ ସଂଖ୍ୟା । ହେଲେ ଏହା କେବେ ବି ଆମକୁ ଆସ୍ୱସ୍ତ କରିପାରି ନାହିଁ । କାରଣ ଦୈନିକ ସଂକ୍ରମଣ ସିନା କମୁଛି ହେଲେ ଦୈନିକ ମୃତ୍ୟୁ ସଂଖ୍ୟା ସାଡେ ତିନି ହଜାର ଉପରେ ରହୁଛି । ଦେଶରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ମୋଟ ମୃତକଙ୍କ ସଂଖ୍ୟା ୩.୭,୨୩୧ ରେ ପହଂଚି ସାରିଲାଣି ।

କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ମାର୍ଚ୍ଚମାସ ପରେ ଦେଢ ଲକ୍ଷ ଲୋକଙ୍କ ଜୀବନ କରୋନା ସଂକ୍ରମଣରେ ଗଲାଣି  । ୨୦୨୧ ଫେବୃଆରୀ ମାସରୁ କରୋନାର ଦ୍ୱିତୀୟ ଲହର ଦେଖିବାକୁ ମିଳିଥିଲା । ତାହା ପୂର୍ବରୁ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାର ମଧ୍ୟରେ ରହୁଥିଲା । ହେଲେ ମାର୍ଚ୍ଚମାସ ଠାରୁ ସଂକ୍ରମଣ ଏତେମାତ୍ରାରେ ବୃଦ୍ଧି ପାଇଥିଲା କି ମାତ୍ର ୭ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣରେ ୧ ଲକ୍ଷ ୪୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି ।

ବିଶ୍ୱରେ ବ୍ୟାପିଥିବା କରୋନା ଭୂତାଣୁ ସଂକ୍ରମଣରେ ହେଉଥିବା ମୃତ୍ୟୁ ସଂଖ୍ୟାରେ ଭାରତ ତୃତୀୟ ସ୍ଥାନରେ ପହଂଚି ସାରିଛି । ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ । ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବିଶ୍ୱର କରୋନା ସଂକ୍ରମିତଙ୍କ ସଂଖ୍ୟାର ୧୬ ପ୍ରତିଶତ  । ସେହିଭଳି ମୃତକ ମାମଲାରେ ସାରା ବିଶ୍ୱର ହିସାବ ମୁତାବକ କେବଳ ଭାରତରେ ୯ ପ୍ରତିଶତ ।

କହିରଖୁ କି ଭାରତରେ ସବୁଠାରୁ ଅଧିକ ମୃତ୍ୟୁ ମେ ମାସରେ ହୋଇଛି । କେବଳ ମେ ମାସରେ ଭାରତରେ କରୋନା ସଂକ୍ରମଣରେ ୯୨ ହଜାର ଲୋକଙ୍କର ଜୀବନ ଯାଇଛି । ଏପ୍ରିଲ ମାସରେ ୪୬ ହଜାର ଲୋକଙ୍କର ଜୀବନ ଯାଇଥିଲା ।