ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ପାଇଁ ପ୍ରସ୍ତାବ : ବଡ ଦେଉଳ ଭିତରେ ଏବଂ ବାହାରେ ନୀତିକାନ୍ତି ସହ ଜଡ଼ିତ ରହୁଥିବାରୁ ମାନ୍ୟତା ପାଇଁ ଦାବି

93

କନକ ବ୍ୟୁରୋ : ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗତ ଜୁନ୍ ୪ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କ୍ରିଷନ କୁମାର ।

କରୋନା କାଳରେ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀମାନେ ବିଭିନ୍ନ ସ୍ଥାନରେ କାର୍ଯ୍ୟନିର୍ବାହ କରୁଛନ୍ତି । ଶ୍ରୀମନ୍ଦିର ଭିତରେ ଓ ବାହାରେ ନିତିକାନ୍ତିରେ ସଂପୃକ୍ତ ରହୁଛନ୍ତି । ରଥନିର୍ମାଣ ସେବାୟତଙ୍କ ରହିବା ଓ ଖାଇବା ଆଦି ବିଭିନ୍ନ କାର୍ଯ୍ୟରେ ସିଧାସଳଖ ସେମାନଙ୍କ ସଂପୃକ୍ତି ରହିଛି । ଫଳରେ ଲୋକଙ୍କ ସଂସ୍ପର୍ଷରେ ଆସି ଅନେକ ସମୟରେ କର୍ମଚାରୀମାନେ ପ୍ରଭାବିତ ହେଉଛନ୍ତି । ଏପରିକି ଦୁଇଜଣ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହୋଇଛି । ଜେଟିପି ପୃଥ୍ୱୀମନ୍ୟୁ ଦାଶ ଏବଂ ଚର୍ଚ୍ଚା ଅମିନ ପ୍ରମୋଦ କୁମାର ଦାଶଙ୍କ ମୃତ୍ୟୁ ହୋଇଛି ।

କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଟିକାକରଣଠାରୁ ଆରମ୍ଭ କରି ନିଳାଚଳ ଭକ୍ତ ନିବାସ କୋଭିଡ କେୟାର ସେଂଟର ଜରିଆରେ ଚିକିତ୍ସା ଯୋଗାଇ ଦିଆଯାଇଛି । ଏବେ ସେମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବାପାଇଁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏପରିକି କରୋନାରେ ମୃତ୍ୟୁ ହୋଇଥିବା ଶ୍ରମନ୍ଦିର ପ୍ରଶାସନର କର୍ମଚାରୀଙ୍କୁ ସମାନ ସର୍ତାବଳୀ ଆଧାରରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ଚିଠିରେ ଅନୁରୋଧ କରିଛନ୍ତି ।