‘ହିନ୍ଦୁ ରାଷ୍ଟ୍ର’ ଦାବି ପୂରଣ ହେଲାନାହିଁ : ଆଜି ମୁଁ ଜଳସମାଧୀ ନେବି

508

କନକ ବ୍ୟୁରୋ : ଭାରତକୁ ‘ହିନ୍ଦୁ ରାଷ୍ଟ୍ର’ ଭାବେ ଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିବା ପ୍ରସିଦ୍ଧ ଋଷି ପରମହଂସ ଆଚାର୍ଯ୍ୟ ମହାରାଜ ଆଜି ଅଯୋଧ୍ୟାର ସରଯୂ ନଦୀରେ ‘ସଲିଳ ସମାଧି’ ନେବେ । ଆପଣାଛାଏଁ ପାଣିରେ ବୁଡ଼ି ଜୀବନ ହରାଇବାକୁ ‘ସଲିଳ ସମାଧି’ କହନ୍ତି । ଏ ସପ୍ତାହ ପ୍ରାରମ୍ଭରେ ପରମହଂସ ଆଚାର୍ଯ୍ୟ ମହାରାଜ ସରକାରଙ୍କ ପ୍ରତି ଚରମବାଣୀ ଜାରି କରି କହିଥିଲେ, ଅକ୍ଟୋବର ୨ ସୁଦ୍ଧା ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରା ନ ଗଲେ ସେ ସରଯୂ ନଦୀରେ ‘ସଲିଳ ସମାଧି’ ନେବେ । ଭାରତରେ ବାସ କରୁଥିବା ସମସ୍ତ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ନାଗରିକତ୍ବକୁ ସରକାରୀ ଭାବେ ରଦ୍ଦ କରିବା ପାଇଁ ମଧ୍ୟ ସେ ନିବେଦନ କରିଥିଲେ ।

ଆଜି ମଧ୍ୟାହ୍ନରେ ଏହି ପ୍ରଭାବଶାଳୀ ସନ୍ଥ ଚିରକାଳ ପାଇଁ ସରଯୂ ନଦୀକୁ ଲମ୍ଫ ଦେବେ ବୋଲି ଅଯୋଧ୍ୟାରେ ପ୍ରସ୍ତୁତି ଚାଲିଥିଲା। ଗଣମାଧ୍ୟମକୁ ଅଯୋଧ୍ୟାର ‘ସିଓ’ ରାଜେଶ ରାୟ କହିଛନ୍ତି ଯେ, ପରମହଂସଙ୍କୁ ଗୃହବନ୍ଦୀ କରାଯାଇଛି । କୌଣସି କାର୍ଯ୍ୟ ପାଇଁ ତାଙ୍କୁ ପଦାକୁ ଛଡ଼ା ଯାଉନାହିଁ । ବୁଝାମଣା ପାଇଁ ସମ୍ପ୍ରତି ପୁଲିସ କର୍ମଚାରୀମାନେ ସନ୍ଥଙ୍କ ସହ ଆଲୋଚନା କରୁଛନ୍ତି । ଉଚ୍ଚତର କର୍ତ୍ତୃପକ୍ଷଙ୍କ ନିକଟରେ ତାଙ୍କ ଦାବିର ସ୍ମାରକପତ୍ର ଦାଖଲ କରିବା ଲାଗି ପୁଲିସ କର୍ମଚାରୀମାନେ ପରମହଂସକୁ ପରାମର୍ଶ ଦେଉଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି ।

ଉପରୋକ୍ତ ଦାବି ନିମନ୍ତେ କିଛି ମାସ ତଳେ ପରମହଂସ ଆଚାର୍ଯ୍ୟ ମହାରାଜ ସନ୍ନ୍ୟାସୀ ଶିବିରରେ ଚିତାଗ୍ନି ପ୍ରସ୍ତୁତ କରି ଆତ୍ମଦାହ କରିବା କଥା କହିଥିଲେ । ଅଯୋଧ୍ୟା ପୁଲିସ ତାଙ୍କୁ ଗୃହବନ୍ଦୀ କରି ସେଥିରୁ ନିବୃତ୍ତ କରିଥିଲା। ହିନ୍ଦୁ ରାଷ୍ଟ୍ର ଦାବି କରି ସେ ମଧ୍ୟ ୧୫ ଦିନ ଆମରଣ ଅନଶନ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଓ ପ୍ରତିଶ୍ରୁତି କାରଣରୁ ସେ ଅନଶନ ଭାଙ୍ଗିଥିଲେ ।