କରୋନା ସଂକ୍ରମଣ କମୁଥିବାରୁ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି । ଫେବ୍ରୁଆରୀ ୧ରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି

128

କନକ ବ୍ୟୁରୋ: ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାରୁ ଆଣି ଶବଦାହ ଉପରେ କଟକଣା ହଟାଇବାର ୨୪ ଘଣ୍ଟା ମଧ୍ୟରେ ଆଉ ଏକ ବଡ ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ । ଛତିଶା ନିଯୋଗ ବୈଠକ ପରେ ଫେବୃୟାରୀ ୧ରୁ ଶ୍ରୀମନ୍ଦିର ଖୋଲିବା ପାଇଁ ଘୋଷଣା ହୋଇଛି । ପୂର୍ବଭଳି ସାନିଟାଇଜ ପାଇଁ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା ବେଳେ, ଶ୍ରୀମନ୍ଦିର ଭିତରକୁ ଯିବାକୁ ହେଲେ ଦୁଇ ଡୋଜ ଟିକା ନେଇଥିବା ବାଧ୍ୟତାମୂଳକ । ନହେଲେ ଆରଟି-ପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ । ଏହି ଦୁଇ ନିଷ୍ପତିର ଏକ ବଡ ରାଜନୈତିକ ଦିଗ ମଧ୍ୟ ରହିଛି । ଅନୁମାନ କରାଯାଉଛି, ସରକାର ଫେବୃୟାରୀ ମାସ ପାଇଁ ଜାରି କରିବାକୁ ଥିବା ଗାଇଡଲାଇନରେ ଅନେକ କଟକଣା କୋହଳ ହୋଇପାରେ ।

ଯେହେତୁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତ ଏକାଠି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ମନ୍ଦିର ପ୍ରଶାସନ ନିଷ୍ପତି ନେଇଛି, ତେଣୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରଚାର ଓ ନେତାଙ୍କ ରାଲି ଉପରେ ଥିବା କଟକଣା ମଧ୍ୟ କୋହଳ ହୋଇପାରେ ବୋଲି ଅନୁମାନ କରାଯାଉଛି । କାରଣ, ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ କହିଥିଲେ, ଯଦି କରୋନା ସଂଖ୍ୟା ନିୟନ୍ତ୍ରଣକୁ ଆସେ, ତେବେ ପଞ୍ଚାୟତ ନିର୍ବାଚନ ପାଇଁ ଥିବା କଟକଣା କୋହଳ ହେବ । ଆଉ ଏହାରି ଫେବୃୟାରୀ ମାସର ଗାଇଡଲାଇନ ଉପରେ ନଜର ରହିଛି ।

ତେବେ ୨୧ ଦିନ ପରେ ପୁଣି ଶ୍ରୀମନ୍ଦିରରେ ଜଗାଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ତୃତୀୟ ଲହରରେ ସଂକ୍ରମଣ ବୃଦ୍ଧି ପାଇବା ପରେ ଜାନୁଆରୀ ୧୦ ତାରିଖରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା । ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବା ପରେ ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ନଜର ପକାନ୍ତୁ, କିପରି ଖୋଲିବ ଶ୍ରୀମନ୍ଦିର…

  • ଫେବ୍ରୁଆରୀ ୧ରୁ ଖୋଲିବ ଶ୍ରୀମନ୍ଦିର
  • କଡ଼ାକଡ଼ି ପାଳନ କରାଯିବ କରୋନା ନିୟମ
  • ପୂର୍ବଭଳି ସାନିଟାଇଜ ପାଇଁ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ବନ୍ଦ
  • ଶ୍ରୀମନ୍ଦିରକୁ ଭିତରକୁ ଯିବାକୁ ହେଲେ ଦୁଇ ଡୋଜ ଟିକା ନେଇଥିବା ବାଧ୍ୟତାମୂଳକ
  • ନହେଲେ ଆରଟି-ପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ
  • ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ
  • ଅନ୍ୟମାନେ ସିଂହଦ୍ୱାର ଦେଇ ଯିବେ

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ପୁରୀ ସ୍ୱର୍ଗଦ୍ୱାରରେ ଶବ ସକ୍ରାର ପାଇଁ ଥିବା କଟକଣାକୁ ହଟାଇ ଦିଆଯାଇଥିଲା । ଅନ୍ୟ ଜିଲ୍ଲାର ଅଣକୋଭିଡ ଶବ ସକ୍ରାର କରିହେବ । ତେବେ ଏଥିରେ ମାତ୍ର ୧୦ ଜଣ ସାମିଲ ହୋଇପାରିବେ ବୋଲି ଅନୁମତି ଦିଆଯାଇଛି ।