ଡ଼ର ଭରୁଛି ଡିସେମ୍ବର , କ’ଣ ହେବ ଫଳାଫଳ ! କାହାର ବଦଳିବ ରଣନୀତି, କାହାର ଫିଟିବ ଭାଗ୍ୟ ?

କ’ଣ ହେବ ୫ ରାଜ୍ୟର ନିର୍ବାଚନ ଫଳାଫଳ ? କାହାକୁ ମିଳିବ ବହୁମତ, ଆଉ କାହାର କଟିବ ପତା, ଓଡ଼ିଶାରେ ପଡ଼ିବ କି ପ୍ରଭାବ ?

442

କନକ ବ୍ୟୁରୋ: ଆସନ୍ତା ଡିସେମ୍ବର ମାସରେ କାର୍ଯ୍ୟକାଳ ପୂରଣ ହେବାକୁ ଯାଉଥିବା ୫ଟି ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମ୍ ସମେତ ତେଲେଙ୍ଗାନାରେ ହେବ ବିଧାନସଭା ନିର୍ବାଚନ । ଯାହାକୁ ନେଇ ରାଜ୍ୟ ରାଜନୀତିରୁ ଜାତୀୟ ରାଜନୀତି ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ଧରିଛି । କାରଣ ଏହି ୫ ଟି ରାଜ୍ୟର ନିର୍ବାଚନ ଫଳାଫଳ ହିଁ ୨୦୧୯ ପୂର୍ବରୁ ରାଜନୈତିକ ଦଳ ପାଇଁ ସେମିଫାଇନାଲ୍ ଭଳି ପାଲଟିବ ବୋଲି ମତ ପ୍ରକାଶ କରିଛନ୍ତି ରାଜନୀତି ବିଶେଷଜ୍ଞ । ତେବେ ୫ ରାଜ୍ୟରୁ ପ୍ରଥମେ ଛତିଶଗଡ଼ରେ ଦୁଇଟି ପର୍ଯ୍ୟୟରେ ଶେଷ ହୋଇଛି ମତଦାନ ।

ଏହି ୫ଟି ରାଜ୍ୟରୁ ବିଜେପି ଦଳ ୩ଟି ରାଜ୍ୟରେ କ୍ଷମତାସୀନ୍ନ ରହିଛି । ତେବେ ବାକି ଦୁଇଟି ରାଜ୍ୟରେ ଯଥା ମିଜୋରାମରେ କଂଗ୍ରେସ ଦଳ ଏବଂ ତେଲେଙ୍ଗାନାରେ ଟିଆରଏସ ଭଳି ଆଞ୍ଚଳିକ ଦଳର ଦବଦବା ରହିଛି । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ଏହି ରାଜ୍ୟ ମାନଙ୍କର ନିର୍ବାଚନ ଫଳାଫଳ ବିଜେପି ପାଇଁ ବାଟ ଫିଟାଇବ ନା ଅନ୍ୟ ରାଜ୍ୟରେ ସରକାର ଗଢ଼ିବାକୁ ବାଟ ଓଗାଳିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ଗୋଟିଏ ପଟେ ୨୦୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ ସଦୃଶ କୁହାଯାଉଥିବା ଏହି ନିର୍ବାଚନ ମଧ୍ୟ ଓଡ଼ିଶା ରାଜନୀତିରେ ବେଶ୍ ପ୍ରଭାବ ପକାଇ ପାରେ ବୋଲି ରାଜନୀତିଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

କାରଣ ଛତିଶଗଡ଼ରେ ଗଡ଼ କରିଥିବା ବିଜେପିକୁ ଚେକ୍ ମେଟ୍ ଦେବା ପାଇଁ କଂଗ୍ରେସ ମଧ୍ୟ ସ୍ୱତନ୍ତ୍ରଣ ରଣନୀତି ପ୍ରସ୍ତୁତ କରିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନସଭାବେଶ ଶାସକ ବିଜେପି ରମଣ ସିଂଙ୍କ ସରକାରକୁ ଶକ୍ତି ପ୍ରଦର୍ଶନ କରିଛନ୍ତି । ଯାହାକୁ ନେଇ ଏବେ ରମଣ ସିଂଙ୍କ ଶବିରରେ ଛନକା ପଶିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟ ରାଜ୍ୟ ଗୁଡ଼ିକ ଯଥା ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ ସ୍ଥିତି ମଧ୍ୟ ବିଜେପି ହାତରୁ ଖସିଯିବ ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । କାରଣ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଠାରୁ କଂଗ୍ରେସର ଯୁବ ନେତା ତଥା ସାଂସଦ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବେଶ୍ ପସନ୍ଦ କରୁଛନ୍ତି ରାଜସ୍ଥାନ ବାସୀ ।

ସେହିପରି ମଧ୍ୟ ପ୍ରଦେଶରେ ବିଜେପି ସରକାରର ଶିବରାଜ ସିଂ ଚୌହାନଙ୍କୁ ମାତ୍ ଦେଇପାନ୍ତି କଂଗ୍ରେସର ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ । ତେବେ ବିଭିନ୍ନ ସମୟରେ ଆସୁଥିବା ଅନେକ ସର୍ଭେ ରିପୋର୍ଟ ହୁଏତ କାହାର ଭାଗ୍ୟ ନିର୍ଦ୍ଧାରଣର ପ୍ରମୂଖ କାରଣ ପାଲଟି ନପାରେ । କିନ୍ତୁ କଂଗ୍ରେସ ଶିବିରରେ ଏହି ସବୁ ସର୍ଭେ ରିପୋର୍ଟ ଏକ ପ୍ରକାର ଉର୍ଜା ଭରି ଦେବ ବୋଲି ରାଜନୀତି ବିଶେଜ୍ଞମାନେ ମତ ପ୍ରକାଶ କରିଛନ୍ତି । ତେବେ ଯଦି ବିଜେପିକୁ ୫ ଟି ରାଜ୍ୟରୁ ୨ କିମ୍ବା ୩ଟି ରାଜ୍ୟରେ ମାତ୍ ଦେବାରେ ସଫଳ ହୁଏ କଂଗ୍ରେସ ତେବେ ଆଗକୁ ଓଡ଼ିଶାରେ ହେବାକୁଥିବା ନିର୍ବାଚନରେ ମଧ୍ୟ ବିଜେପିର ସ୍ୱପ୍ନ ଧୂଳିସାତ୍ ହୋଇଯିବ ବୋଲି ରାଜନୀତି ବିସାରଦମାନେ ମତ ପ୍ରକାଶ କରିଛନ୍ତି ।