ରାଜ୍ୟରୁ କେନ୍ଦ୍ର ସବୁଠି ଝଡ଼ ପୂର୍ବରୁ ନିରବତା ! ଦିନକ ପରେ ଇଭିଏମରୁ ୧୯ ପରୀକ୍ଷା ଫଳ ଆସିବ । ଆପଣଙ୍କ ମତରେ କିଏ ଉଠିବ , କିଏ ଖସିବ ?

132

କନକ ବ୍ୟୁରୋ: ଦିନକ ପରେ ଆସିବ ୧୯ ଯୁଦ୍ଧର ପରୀକ୍ଷା ଫଳ । ନିର୍ବାଚନ ଶେଷ ପରେ ବିଭିନ୍ନ ସର୍ଭେକ୍ଷଣ ସଂସ୍ଥା ପକ୍ଷରୁ କରାଯାଉଥିବା ଏକଜିଟ୍ ପୋଲକୁ ନେଇ ରାଜ୍ୟଠୁ କେନ୍ଦ୍ର ସବୁଠି ଯେଉଁ ଚର୍ଚ୍ଚା ହେଉଛି ଚର୍ଚ୍ଚା ତାହାର ସ୍ପଷ୍ଟ ଚିତ୍ର ଦେଖିବ ଭାରତ । କିଏ ପୁଣି କେନ୍ଦ୍ର ଆଉ କେଉଁ ରାଜ୍ୟରେ କ୍ଷମତା ସମ୍ଭାଳିବ ତାହାର ମଧ୍ୟ ପୂରା ଚିଠା ସାମ୍ନାକୁ ଆସିବ । ଯାହାକୁ ନେଇ ଏବେ ନେତାଙ୍କ ହାର୍ଟବିଟ୍ ବଢ଼ିବାରେ ଲାଗିଛି ।

ଅନ୍ୟପଟେ ଦୀର୍ଘ ୫ ବର୍ଷ ଧରି ଉଭୟ ରାଜ୍ୟ ଓ କେନ୍ଦ୍ରରେ ଯେଉଁ ଦଳୀୟ ସୁପ୍ରିମୋମାନେ ଜନତାଙ୍କୁ କେତେ ସନ୍ତୁଷ୍ଟ କରିଛନ୍ତି ତାହାର ଗୋଟି ଗୋଟି କରି ହିସାବ ନିକାଶ ହେବ । ଆଉ ଦଳୀୟ ପ୍ରାର୍ଥୀଙ୍କ ଖାତାର କେଉଁଠି କେତେ ମାର୍କ ଦେଇଛନ୍ତି ଜନତା ଜନାର୍ଦ୍ଦନ ତାହାର ମଧ୍ୟ ଖୁଲାସା ଆସନ୍ତା ୨୩ ତାରିଖ ଦିନ ହେବ । ହେଲେ ବର୍ତ୍ତମାନ ବିଭିନ୍ନ ବୁଥ୍ ବାହୁଡ଼ା ମତକୁ ନେଇ ନେତାମାନେ ଭବିଷ୍ୟବାଣୀ କରିବାରେ ଲାଗିପଡ଼ିଛନ୍ତି । କିଏ କହୁଛି ଆମେ ବହୁମତ ପାଇବୁ ଆଉ କିଏ କହୁଛି ମେଣ୍ଟ କରି ବାଜି ମାରିବୁ ।

bijepurକେବଳ ଦଳୀୟ ସୁପ୍ରିମୋ ନୁହେଁ ବରଂ ୧୯ ମହାଯୁଦ୍ଧ ପାଇଁ ଜାତୀୟ ଓ ଆଞ୍ଚଳିକ ଦଳ ତରଫରୁ ସିପାହୀ ହୋଇ ରାଜନୀତି ବ୍ୟାଟେଲ ଗ୍ରାଉଣ୍ଡରେ ଯୁଦ୍ଧ ଶେଷ କରି ସିପାହୀମାନେ ରେଜଲ୍ଟକୁ ଅପେକ୍ଷା କରିଛନ୍ତି । ଆଉ ସେନାପତିଙ୍କ ଖୁସି ଖବର ଦେଇ ନିଜ କ୍ୟାମ୍ପରେ ନିଜର ପତିଆରା ବିସ୍ତାର କରିବାକୁ ଦମ୍ଭୋକ୍ତି ବାଢୁଛନ୍ତି । ହେଲେ ପ୍ରକୃତରେ ଇଭିଏମ ଭିତରେ ଯେଉଁ ମଞ୍ଜି ସିଲ୍ ହୋଇ ରହିଛି ସେଇଟା କାହା ପାଇଁ ସଞ୍ଜିବନୀ ଆଉ କାହା ପାଇଁ ମହାକାଳ ଫଳ ପାଲଟିବ ତାହା ଆଉ ଦିନକ ପରେ ଜଣାପଡ଼ିବ । ତେବେ ସେ ନିର୍ଣ୍ଣାୟକ ଦିନ ଯେତେ ନିକଟତର ହେଉଛି ସେତେ ପରିମାଣରେ ରାଜ୍ୟ ଓ କେନ୍ଦ୍ରୀୟ ରାଜନେତାଙ୍କୁ ହୃଦସ୍ପନ୍ଦନ ବଢ଼ିବାରେ ଲାଗିଛି ।