ସସପେନ୍ସ ବଢ଼ାଉଛି ଡିସେମ୍ବର ୨୬ । ନେତା କରିପାନ୍ତି ଦଳବଦଳ,ଫୋକସରେ ପ୍ରତିଷ୍ଠା ଦିବସ ।

ବିଜେଡ଼ିରେ ଯୋଗଦେବେ କି ବିରୋଧୀ ବିଧାୟକ ? କାର୍ଡ ଖୋଲିଲା ନାହିଁ ବିଜେଡ଼ି ।

773

କନକ ବ୍ୟୁରୋ: ରାଜ୍ୟ ରାଜନୀତିକୁ ଉଷ୍ମ କରିଛି ଡିସେମ୍ବର ୨୬ । ଏହି ଦିନଟିକୁ ବିରୋଧୀମାନେ ଚାତକ ପରି ଅପେକ୍ଷା କରିବା ସହ ରାଜ୍ୟବାସୀ ମଧ୍ୟ ଉକ୍ରଣ୍ଠାର ସହ ଚାହିଁ ବସିଛନ୍ତି । ଏହା କୌଣସି ପର୍ବ ନହେଲେ ମଧ୍ୟ ଏହି ଦିନଟିକୁ ରାଜ୍ୟ ରାଜନୀତିର ବଡ଼ ଦିନ ବୋଲି ଏବେଠୁ ଚର୍ଚ୍ଚା ଜୋର ଧରିଛି । କାରଣ ଆସନ୍ତା ଡିସେମ୍ବର ୨୬ରେ ବିଜେଡ଼ି ପାଳିବ ଦଳର ୨୧ତମ ପ୍ରତିଷ୍ଠା ଦିବସ । ଆଉ ଏହି ଉତ୍ସବ ଉପରେ ରହିଛି ସମସ୍ତଙ୍କ ନଜର ।

୨୦୧୯ ନିର୍ବାଚନ ପାଇଁ ରାଜ୍ୟରେ ବାଜି ସାରିଛି ନିର୍ବାଚନୀ ବିଗୁଲ । ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ରୁଦ୍ଧ କୋଠରୀରେ ଅଙ୍କକଷା ଚାଲିଥିବାବେଳେ ଆଗାମୀ ଡିସେମ୍ବର ୨୬ ତାରିଖ ଉପରେ ରହିଛି ସମସ୍ତଙ୍କ ନଜର । କାରଣ ବିଜେଡ଼ିର ପ୍ରତିଷ୍ଠା ଦିବସରେ ରାଜ୍ୟ ରାଜନୀତି କଡ଼ ଲେଉଟାଇବ ବୋଲି ଚା ଖଟିର ହଟ୍ ଟପିକ୍ ପାଲଟିଛି । ଏହି ଅବସରରେ ଶଙ୍ଖ ଧରିପାରନ୍ତି ରାଜ୍ୟର ଅନେକ ବରିଷ୍ଠ ନେତା । ଆଉ ସେମାନଙ୍କ ମଧ୍ୟରୁ ସର୍ବ ପ୍ରଥମ ନାଁ ନିକଟରେ ବିଜେପି ଛାଡ଼ିଥିବା ଦୁଇ ହେଭିୱେଟ୍ ନେତା ବିଜୟ ଓ ଦିଲ୍ଲୀପ ବୋଲି ଶୁଣିବାକୁ ମିଳୁଛି । ଆଗମୀ ନିର୍ବାଚନ ପାଇଁ ବିଜେଡ଼ି ଏହି ଦିବସକୁ ସମର ସଜ୍ଜା ଦିବସ ଭଳି ପାଳନ କରିବ ବୋଲି ଚର୍ଚ୍ଚା ଜୋର ଧରିଛି ।

ଗତ ଡିସେମ୍ବର ୧୧ ତାରିଖରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ନେଇ ଜାତୀୟ ରାଜନୀତିରୁ ରାଜ୍ୟ ରାଜନୀତିରେ ହଟ ଚମଟ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଡିସେମ୍ବର ୨୬ରେ ହେବାକୁଥିବା ବିଜେଡ଼ି ପ୍ରତିଷ୍ଠା ଦିବସ ଅବସରରେ ବିଜେଡ଼ି ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଉପରେ ଫୋକସ ରଖିଚନ୍ତି ବିରୋଧୀ । କାରଣ ଆଗାମୀ ୨୦୧୯ ନିର୍ବାଚନ ପୂର୍ବରୁ କେଉଁଭଳି ରଣନୀତି ପ୍ରସ୍ତୁତ କରିବେ ନବୀନ । ଏବଂ ଦୀର୍ଘ ୧୮ ବର୍ଷ ଧରି ରାଜ୍ୟରେ ନିରକୁଂଶ ଶାସନଧାରା ବଜାୟ ରଖିବାରେ ବିଜେଡ଼ିରେ କିଏ ଯୋଗଦାନ କରିବେ ସେନେଇ ଏବେଠୁ ଚାଲିଛି ଚର୍ଚ୍ଚା ।

ସେପଟେ ଆଗାମୀ ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଉପରେ ମଧ୍ୟ ଫୋକସ କରିଛି ବିଜେଡ଼ି । ମୋଦି କେଉଁ ପ୍ରସଙ୍ଗ ଉଠାଇବେ ତାହାର କଡ଼ାଗଣ୍ଡା କରି ୨୬ ଡ଼ିସେମ୍ବରରେ ହିସାବ ଦେବେ ବିଜେଡ଼ି ସୁପ୍ରିମୋ ନବୀନ ବୋଲି ଖଟିରେ ଚର୍ଚ୍ଚା ହେଉଛି । ତେବେ ଡିସେମ୍ବର ୨୬ ବିଜେଡ଼ିର ଉତ୍ସବ ଦିବସ ହୋଇଥିଲେ ମଧ୍ୟ ରାଜ୍ୟ ରାଜନୀତିର ରଙ୍ଗ ବଦଳାଇବ ବୋଲି ଆକଳନ କରିଛନ୍ତି ରାଜନୀତି ବିଶେଷଜ୍ଞ ।