ଆସୁଛି ଡିସେମ୍ବର, ବଢୁଛି ଭୟ : ଡିସେମ୍ୱର ୧୫ରୁ ଜାନୁଆରୀ ୧୫ ମଧ୍ୟରେ ଦେଶରେ କରୋନାର ଦ୍ୱିତୀୟ ୱେଭ୍ ଆସିବା ସଂଭାବନା

ଥଣ୍ଡା ଯୋଗୁଁ ଅଧିକ ହୋଇପାରେ ସଂକ୍ରମଣ

263

କନକ ବ୍ୟୁରୋ : ଆସୁଛି ଡିସେମ୍ବର, ବଢୁଛି ଭୟ । ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ଡିସେମ୍ବର ୧୫ ରୁ ଜାନୁଆରୀ ୧୫ ଭିତରେ ଏହି ସେକେଣ୍ଡ ୱେଭ୍ ଆସିବାର ଆଶଙ୍କା ରହିଛି । ରାଜ୍ୟରେ ଏବେ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଛି । ତେବେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଚିନ୍ତାର କାରଣ ପାଲଟିଛି । ୟୁରୋପରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆସିଛି । ଇଂଲଣ୍ଡ ସମେତ କିଛି ସ୍ଥାନରେ ପୁଣି ତାଲାବନ୍ଦ ଆରମ୍ଭ ହୋଇଛି ।

ତେଣୁ ଡିସେମ୍ବରରେ ପୁଣି ଥରେ କରୋନା ସଂକ୍ରମଣ ହେବା ନେଇ ଆଶଙ୍କା କରାଯାଉଛି । କାରଣ ଏହି ସମୟରେ ଓଡିଶାରେ ସବୁଠାରୁ ଅଧିକ ଥଣ୍ଡା ପଡିଥାଏ । ୟୁରୋପରେ ଥଣ୍ଡା ବଢ଼ିବା କାରଣରୁ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହୋଇଛି । ଏହି ପରିସ୍ଥିତିରେ ଓଡିଶାରେ ମଧ୍ୟ ସଂକ୍ରମଣ ବଢ଼ିବା ଆଶଙ୍କା କରାଯାଉଛି । ମୁଖ୍ୟମନ୍ତ୍ରୀ ମଧ୍ୟ ଏ ନେଇ କୋଭିଡ ସମୀକ୍ଷା ବୈଠକରେ ଆଶଙ୍କା ପ୍ରକାଶ କରି ସତର୍କତାମୂଳକ ପଦକ୍ଷେପ ଉପରେ ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି, ଲକଡାଉନ ଭଳି କଠିନ ପଦକ୍ଷେପକୁ ଏଡାଇବାକୁ ହେଲେ, ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଏବଂ ହାତ ଧୋଇବା ପରି କଟକଣା ମାନିବାକୁ ପଡିବ ।

କେରଳରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସେଠାକାର ପରିସ୍ଥିତିକୁ ଗମ୍ଭୀର କରିଦେଇଛି । ଓନାମ ପର୍ବ ପରେ ସେଠାରେ ସଂକ୍ରମଣ ହଠାତ ବଢ଼ିବାକୁ ଲାଗିଥିଲା । ତେବେ ଦିଲ୍ଲୀ ଓ କଲିକତାରେ ସଂକ୍ରମଣ ବଢ଼ିଥିଲେ ମଧ୍ୟ ସେଠାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ୟୁରୋପର ଅନେକ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି । ଫ୍ରାନ୍ସ , ଇଟାଲୀ, ଜର୍ମାନୀ , ବ୍ରିଟେନ, ବେଲଜିୟମ ଓ ଅଷ୍ଟ୍ରିଆରେ ପୁଣି ଥରେ ଲକଡାଉନ କଟକଣା ଲାଗୁ କରାଯାଇଛି ।