ଆସିଲା ଡିସେମ୍ବର ଗାଇଡଲାଇନ । ଜାଣନ୍ତୁ ବାହାଘର ପାଇଁ କଣ ଅଛି ନିୟମ?

6,069

କନକ ବ୍ୟୁରୋ : ଗୋଟିଏ ପଟେ ଓମିକ୍ରନ ଭାରିଆଣ୍ଟ ବ୍ୟାପୁଥିବା ବେଳେ ଅନ୍ୟପଟେ ଡିସେମ୍ବର ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ଡିସେମ୍ବର ୧ରୁ ଜାନୁଆରୀ ୧ ପର୍ଯ୍ୟନ୍ତ ବିଭିନ୍ନ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କୌଣସିୁ ସ୍ଥାନରେ ସପ୍ତାହାନ୍ତ ସଟଡାଉନ ରହିବନି  ।ସେହିଭଳି ସହରାଞ୍ଚଳରେ ରାତି ୧୦ଟାରୁ ଭୋର ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ତେବେ ଡିସେମ୍ବର ଗାଇଡଲାଇନରେ ବାହାଘରକୁ ନେଇ ସେହି ପୁରୁଣା ନିୟମ ଲାଗୁ ହେବ । ଅଥାର୍ତ ବାହାଘରରେ ୨୫୦ ଜଣ ସାମିଲ ହୋଇପାରିବେ ।

ଡିସେମ୍ବର ମାସରେ ଅଧିକ ସଂଖ୍ୟକ ବାହାଘର ରହିଛି ।  ଆଉ ଏହି ସବୁ ବାହାଘରରେ  ସର୍ବାଧିକ ୨୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦେଇଛନ୍ତି ସରକାର । ବରପକ୍ଷ, କନ୍ୟାପକ୍ଷ, ପଣ୍ଡିତ, ବନ୍ଧୁ ବାନ୍ଧବ ଏପରିକି ବାହାଘରରେ ସାମିଲ ହେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସଂଖ୍ୟା ୨୫୦ରୁ ଅଧିକ ହେବନି । ଯଦି ଏହି ନିୟମର ଉଲ୍ଲଘଂନ ହୁଏ ତେବେ ଆୟୋଜକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାବାଦ୍ ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ । ବର, ବରଯାତ୍ରୀ, ଲାଇଟ ଓ ସାଉଣ୍ଡ ମ୍ୟାନ୍, ବନ୍ଧୁ ବାନ୍ଧବ, ବ୍ୟାଣ୍ଡ ପାର୍ଟି, ପଣ୍ଡିତଙ୍କୁ ମିଶାଇ ମୋଟ ୫୦ ଜଣ ବାହାଘର ଶୋଭାଯାତ୍ରାରେ ଯାଇପାରିବେ । ଏହି ୫୦ ଜଣ ମଧ୍ୟ ଗାଇଡଲାଇନ ଅନୁଯାୟୀ ନିର୍ଦ୍ଧାରିତ ୨୫୦ ଜଣଙ୍କ ମଧ୍ୟରେ ରହିବେ ।ତେବେ ବାହାଘର ଶୋଭାଯାତ୍ରା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବାକୁ ପଡିବ ।