ବଡ ହୋଇଥିଲେ ଡାକ୍ତର ହୋଇଥାନ୍ତା ରାଜା । ଡ୍ରେନରେ ଭାସିଗଲା ଡାକ୍ତର ସ୍ୱପ୍ନ…

327

କନକ ବ୍ୟୁରୋ: ଶୂନଶାନ ସ୍କୁଲ, ଶବ୍ଦହୀନ ଶ୍ରେଣୀଗୃହ… ଖାଁ ଖାଁ ଖେଳ ପଡିଆ, ବାହୁନି ବାହୁନି କାନ୍ଦୁଛି ବିଦ୍ୟାଳୟ । ସବୁଠି ହରାଇବାର ଦୁଃଖ, ସାଙ୍ଗ ନଥିବାର ଶୂନ୍ୟତା । ସାର କାନ୍ଦୁଛନ୍ତି, ମାଡାମ ମନମାରି ବସିଛନ୍ତି । ଆଉ ସାଙ୍ଗସାଥି ବି ରାଜା ସହ ବିତେଇଥିବା ମୁହୂର୍ତ୍ତମାନକୁ ମନେପକାଇ ସ୍ମୃତିଚାରଣ କରୁଛନ୍ତି… କିଏ ରାଜାକୁ ଡାକୁଛି, କିଏ କହୁଛି, ଆଜି ଯଦି ରାଜା ଥାଆନ୍ତା ଆମ ସହ ପ୍ରୋଜେକ୍ଟ ସମିଟ୍ କରିଥାନ୍ତା… ହେଲେ ନା ସେ ଫେରିବ, ନା ଆମ ସହ ସାଙ୍ଗ ହୋଇ ପଢିବ… ରାଜା ଖାଲି ଏବେ ରହିଯିବ ସ୍କୁଲ କାନ୍ଥର ଫଟୋଟେ ହୋଇ, ଛାତିରେ ରହିଥିବ ଛବିଟେ ହୋଇ, ସାଇତା ସ୍ମୃତିଟେ ସାଜି…

ଡ୍ରେନରେ ଭାସିଗଲା ଡାକ୍ତର ସ୍ୱପ୍ନ… । ସ୍କୁଲ ଜଣାଇଲା ଶେଷ ବିଦାୟ । କାନ୍ଦିଲେ ଶିକ୍ଷକ, ଝୁରିଲେ ସାଙ୍ଗ । ପାଠ ପଢିବ, ବଡ ହୋଇ ଡାକ୍ତର ହେବ । ଜୀବନରେ ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିଲା ରାଜା । ଆଉ ନିଜ ସ୍ୱପ୍ମକୁ ସତ କରିବାକୁ ପରିଶ୍ରମ ବି କରୁଥିଲା । ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଜ ସ୍ୱପ୍ନ ବାବଦରେ କହୁଥିଲା ରାଜା । ହେଲେ ବିଧିର ବିଧାନ, ନିଷ୍ଠୁର ସମୟ ତା ସ୍ୱପ୍ନକୁ ଚୁରମାର କରିଦେଲା । ଆଉ ରାଜଧାନୀର ଡ୍ରେନ ପାଣି ଭସାଇଦେଲା ରାଜାର ଡାକ୍ତରୀ ସ୍ୱପ୍ନ…

ଅସମୟରେ, ଅବେଳରେ ଆକସ୍ମିକ ଭାବେ ମୃତ୍ୟୁ ହେବା ପରେ ଅଧୁରା ରହିଗଲା ରାଜାର ସ୍ୱପ୍ନ । ଜ୍ୟୋତି ପ୍ରକାଶ ବେହେରା, ଦଶମ ଶ୍ରେଣୀରେ ପଢୁଥିବା ବେଳେ ସେ ଥିଲା ଅନେକ ପ୍ରତିଭାର ଅଧିକାରୀ । ଶ୍ରେଣୀଗୃହରେ ଅତି ସରଳ, ନିର୍ମାୟା ପିଲା ଥିଲା ରାଜା । ସବୁବେଳେ ସ୍ୱପ୍ନକୁ ନେଇ ବଞ୍ଚୁଥିବା ରାଜା ଆଜି ତା ସ୍ୱପ୍ନପଥରେ ପରାଜିତ ହୋଇଛି । ୟୁନିଟ-୮ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଜାକୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ବେଳେ କାନ୍ଦ କାନ୍ଦ କଣ୍ଠରେ ରାଜାକୁ ଝୁରିଛନ୍ତି ସମସ୍ତେ ।

ରାଜା ତୁ ଯେଉଁଠି ଥା ଭଲରେ ଥା, ତୋ ସ୍ୱପ୍ନର ବାଟରେ ସିନା କଣ୍ଟା ସାଜିଲା ବ୍ୟବସ୍ଥା, ବିଏମସିର ବେପରୁଆପଣ ପାଇଁ ସିନା ତୋ ସ୍ୱପ୍ନ ଡ୍ରେନରେ ଭାସିଗଲା । ହେଲେ ଆଶା କରିବା, ତୋ ପରି କୁନିକୁନି ଭବିଷ୍ୟତଙ୍କୁ ଭସାଇ ନଦେଉ ଏ ପଙ୍ଗୁ ପ୍ରଶାସନ, ସ୍ୱପ୍ନକୁ ସମାଧି ନଦେଉ ଏ ସରକାର । ତୁ ଯେଉଁଠି ଥା ରାଜା, ଭଲରେ ଥା…