ଯେକୌଣସି ଏଟିଏମରୁ ଟଙ୍କା ଉଠାଇଲେ ଲାଗିବନି ଚାର୍ଜ । ୩ ମାସ ପର୍ଯ୍ୟନ୍ତ ଅନ୍ୟ ବ୍ୟାଙ୍କ ଏଟିଏମରୁ ଉଠାଇଲେ ବି ପଡିବନି ଶୁଳ୍କ । ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

2,406

କନକ ବ୍ୟୁରୋ: ଏଟିଏମରୁ ଟଙ୍କା ଉଠାଇଲେ ଲାଗିବନି ଚାର୍ଜ । ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଣ କଲେ ୩ ମାସ ପର୍ଯ୍ୟନ୍ତ କୌଣସି ଶୁଳ୍କ ଲାଗିବନି । ଆଜି ଏଭଳି ଏକ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଅର୍ଥମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପୂର୍ବରୁ ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇଲେ ଯେଉଁ ଶୁଳ୍କ କଟୁଥିଲା ତାହା ଆଗାମୀ ୩ ମାସ ଯାଏଁ ପଡିବନି । ଯେକୌଣସି ଏଟିଏମରୁ ଟଙ୍କା ଉଠାଇଲେ ବି ଚାର୍ଜ ଦେବାକୁ ପଡିବନି କି ସର୍ବନିମ୍ନ ଜମାରାଶି ନରହିଲେ କୌଣସି ଅସୁବିଧା ହେବନି । ତେବେ ପୂର୍ବରୁ ନିଜ ବ୍ୟାଙ୍କ ଏଟିଏମ ଛଡା ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇଲେ ଶୁଳ୍କ ଦେବାକୁ ପଡୁଥିଲା । ମାସକୁ ୪ ଥରରୁ ଅଧିକ ଉଠାଇଲେ ଶୁଳ୍କ ପଡୁଥିଲା । ମାତ୍ର ଏବେ ୩ ମାସ ଯାଏଁ ସେସବୁ କିଛି ଚାର୍ଜ କଟିବନି ।

କରୋନାର କଡା ମୁକାବିଲା ପାଇଁ ସାରା ଭାରତ ଅଣ୍ଟା ଭିଡିଥିବା ବେଳେ ଦିନକୁ ଦିନ ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟ ତଥା ଜନଗହଳି ପୂର୍ଣ୍ଣ ସ୍ଥାନକୁ ଲକ ଡାଉନ ଘୋଷଣା କରି ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଚଳାଇଛନ୍ତି । ଏଭଳି ପରିସ୍ଥିତିରେ ଲୋକେ ଯେମିତି ଟଙ୍କା ଉଠାଣ କିମ୍ବା କୌଣସି ସାମଗ୍ରୀ କ୍ରୟ ପାଇଁ ଅସୁବିଧା ନଭୋଗନ୍ତି ସେଥିପାଇଁ ବ୍ୟାଙ୍କ ମାନଙ୍କୁ ସମସ୍ତ ଏଟିଏମରେ ଟଙ୍କା ଭରିବାକୁ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ଆଜି ଲୋକଙ୍କ ସୁବିଧା ପାଇଁ ୩ ମାସ ବିନା ଚାର୍ଜରେ ଟଙ୍କା ଉଠାଣର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ସେପଟେ ବଢିଲା ଆୟକର ରିଟର୍ଣ୍ଣ ଅବଧି । ଆଇଟି ରିଟର୍ଣ୍ଣ ଦାଖଲ ଅବଧି ଜୁନ ୩୦ ଯାଏ ବୃଦ୍ଧି କରାଯାଇଛି । ଆଧାର ଓ ପାନ ଲିଙ୍କ ଅବଧିକୁ ମଧ୍ୟ ଜୁନ ୩୦ ଯାଏ ବଢାଯାଇଛି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ସମୟ ଜୁନ ୩୦ ଯାଏ ବୃଦ୍ଧି କରାଯାଇଛି । ଏହା ଉପରେ ସୁଧ ହାର ମଧ୍ୟ ହ୍ରାସ ପାଇଛି । ବିଳମ୍ବରେ ପେମେଂଟ କଲେ ୧୨ ପ୍ରତିଶତ ବଦଳରେ ୯ ପ୍ରତିଶତ ସୁଧ ହେବାକୁ ପଡିବ । କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କୁ ଆଶ୍ୱସ୍ତି ପ୍ରଦାନ ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି ।