କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତକୁ ନେଇ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଜାପାନ ସହ ପୂର୍ବରୁ ଓଡ଼ିଶାର ସାଂସ୍କତିକ ସମ୍ବନ୍ଧ ରହି ଆସିଛି । କିଛି ବର୍ଷ ପୂର୍ବେ ଜାପାନୀ ଧର୍ମଗୁରୁ ମାନେ ଓଡ଼ିଶା ଆସିବା ସହ ବିଭିନ୍ନ ସ୍ଥାନ ବୁଲି ଓଡ଼ିଶା ଓ ଜାପାନର ସଂସ୍କୃତିକୁ ନେଇ ଆଲୋକପାତ କରିଛନ୍ତି । ଜାପାନ ସହ ବିଭିନ୍ନ ଫୋରମରେ ପାର୍ଟନର ଷ୍ଟେଟ ଭାବେ ଓଡ଼ିଶା ଆଲୋଚନା କରିଛି ।

Advertisment

ନବୀନଙ୍କ କାର୍ଯ୍ୟକାଳ ଭିତରେ ଓଡ଼ିଶା ନିବେଶର ପେଣ୍ଠସ୍ଥଳ ପାଲଟିଛି ଏବଂ ଓଡ଼ିଶା ଦେଶର ୩ ପ୍ରମୁଖ ରାଜ୍ୟ ଭିତରେ ମଧ୍ୟ ରହିଛି । ଦକ୍ଷିଣ-ପୂର୍ବ ଏସିଆର ଗେଟୱେ ହେଉଛି ଓଡ଼ିଶା । ଏଠାରେ ଅନେକ ସୁଯୋଗ ରହିଛି । ସୁଦୃଢ ଓ ସୁବିଧାଜନକ ଭିତ୍ତିଭୂମି ଥିବାରୁ ଜାପାନ ଏଠାରେ ନିବେଶ କଲେ କେବଳ ବାଣିଜ୍ୟିକ ପ୍ରସାର ହେବନି ବରଂ ଓଡ଼ିଶାର ବିଭିନ୍ନ ବିଭିନ୍ନ କ୍ଷୁଦ୍ର ଶିଳ୍ପର ମଧ୍ୟ ଦ୍ରୁତ ବିକାଶ ହେବ । ଏହାଦ୍ୱାରା ନିଯୁକ୍ତି ମଧ୍ୟ ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ଯେହେତୁ ନିଜେ ଟିମର ନେତୃତ୍ୱ ନେଇ ଯାଉଛନ୍ତି ତେଣୁ ଏହି ଗସ୍ତର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିବ । ପୂର୍ବରୁ ମଧ୍ୟ ନିବେଶ ପାଇଁ ବିଭିନ୍ନ ରାଜ୍ୟ ଓ ବିଦେଶ ଗସ୍ତ କରି ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ନବୀନ । ଏହାର ସୁଫଳ ମଧ୍ୟ ମିଳିବା ଆରମ୍ଭ ହୋଇଛି ।

ଜାପାନ ନିବେଶକଙ୍କ ଜରିଆରେ ଓଡ଼ିଶା ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି କେବଳ ଲାଭବାନ ହେବନି ବରଂ ବାଣିଜ୍ୟିକ ଅଭିବୃଦ୍ଧି ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢିବ । ଜାପାନୀ ପୁଞ୍ଜିନିବେଶକାରୀ ଅନ୍ୟ ରାଜ୍ୟ ସହ ତୁଳନା କରି ମଧ୍ୟ ଦେଖି ସାରିଛନ୍ତି ଯେ, ଓଡ଼ିଶା ଠାରୁ ଭଲ ଭିତ୍ତିଭୂମି ଅନ୍ୟ କେଉଁଠି ମିଳିବନି ବୋଲି କହିଛନ୍ତି ଦେବୀ ପ୍ରସାଦ ମିଶ୍ର ।