ବିଜେପି ଆଡ଼କୁ ଢ଼ଳୁଛନ୍ତି କି ଭର୍ତ୍ତୃହରି? କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା । କଟକରୁ କାହାକୁ ସାଂସଦ ପ୍ରାର୍ଥୀ କରିବ ବିଜେପି?

198

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି କଟକ ସାଂସଦ ଭର୍ତୃହରି ମହତାବ । ନୂଆଦିଲ୍ଲୀ ସ୍ଥିତ ଶାହଙ୍କ ବାସଭବନରେ ସାକ୍ଷାତ କରିଛନ୍ତି । ଉଭୟ କେନ୍ଦ୍ର ସରକାରଙ୍କ ରାଜଭାଷା ନୀତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି ।

ଗୃହମନ୍ତ୍ରୀ ଅମିତ ଶାହ ସଂସଦୀୟ ରାଜଭାଷା ସମିତିର ଅଧ୍ୟକ୍ଷ ଥିବା ବେଳେ ଭର୍ତ୍ତୃହରି ମହତାବ ରାଜଭାଷା ସମିତିର ଉପାଧ୍ୟକ୍ଷ ଅଛନ୍ତି । ଏବେ ଦୁଇ ଜଣଙ୍କ ସାକ୍ଷାତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କାରଣ ଅନେକ ସମୟରେ ବିଜେପି ନେତାଙ୍କ ସହ ଭର୍ତୃହରିଙ୍କୁ ଦେଖିବାକୁ ମିଳୁଛି । କିଛି ଦିନ ତଳେ ପ୍ରଜାତନ୍ତ୍ରର ବାର୍ଷିକ ଉତ୍ସବରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେଇଥିଲେ । ଚର୍ଚ୍ଚା ହେଉଛି ସାଂସଦ ଭର୍ତୃହରି ମହତାବ ବିଜେପି ଆଡକୁ ଢଳି ପାରନ୍ତି । ଏହା ହେଲେ କଟକରୁ ବିଜେପି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବ ।କାରଣ କଟକ ଆସନ ପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି ।

ଦୁଇ ଦିନ ତଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ଲୋକସଭା ନିର୍ବାଚନମଣ୍ଡଳୀରେ ମାରାଥନ ଗସ୍ତ କରିଥିଲେ । କେନ୍ଦ୍ର ରେଳମନ୍ତ୍ରୀ ଆଠଗଡରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ଆଠଗଡ, ତିଗିରିଆ ଓ ବଡମ୍ବାକୁ ମାରାଥନ ଗସ୍ତ କରିଥିଲେ । ସଙ୍ଗଠନ ସମ୍ପର୍କରେ ନେତାଙ୍କ ସହ ଆଲୋଚନା କରି ଲୋକଙ୍କୁ ପୁଳାପୁଳା ପ୍ରତିଶ୍ରୁତି ବି ଦେଇଥିଲେ । କେବଳ ଅଶ୍ୱିନୀ ବୈଷ୍ଣବ ନୁହନ୍ତି, ଡାକ୍ତର ପୂର୍ଣ୍ଣ ମହାପାତ୍ରଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ପୂର୍ଣ୍ଣ ମହାପାତ୍ର ବିଜେପିର ଉପସଭାପତି ଅଛନ୍ତି । ସେ ବିଜେପିରେ ସାମିଲ ହେବା ପରେ କଟକରୁ ସାଂସଦ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଆଉ ଏବେ ଭର୍ତୃହରି ଅମିତ ଶାହଙ୍କୁ ଭେଟିବା ପରେ କଟକ ପରି ହାଇଭୋଲଟେଜ୍ ଆସନରୁ କିଏ ପ୍ରାର୍ଥୀ ହେବ ତାହା ଚର୍ଚ୍ଚାର ବିଷୟ ହୋଇଛି । କାରଣ ୨୦୧୯ରେ କଟକରେ ବିଜେଡି ସାଂସଦ ଭର୍ତୃହରି ମହାତାବଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ପ୍ରକାଶ ମିଶ୍ର । ବିଜେପିର ପରାଜୟର ବ୍ୟବଧାନ ଲକ୍ଷେ ୨୧ ହଜାରରୁ ଅଧିକ ଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପିର ଭୋଟ ୨୩ ପ୍ରତିଶତ ବଢିଥିଲା ।