ବିଧାୟକ ନା ସାଂସଦ ହେବି ତାହା ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ, ରାଜ୍ୟସଭାରେ ଉଠାଇବି କଟକର ସମସ୍ୟା । ନାମାଙ୍କନ ପୂର୍ବରୁ ଖୁସିବ୍ୟକ୍ତି କଲେ ଦେବାଶିଷ ସାମନ୍ତରାୟ ।

122

କନକ ବ୍ୟୁରୋ : ଆଜି ନାମାଙ୍କନ ଦାଖଲ କରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ । କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଯୁବ ବିଜେଡି ନେତା ଶୁଭାଶିଷ ଖୁଂଟିଆ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ । ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇ ପ୍ରାର୍ଥୀ ନାମାନଙ୍କ ଭରିବେ । ଏହି ସମୟରେ ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିବେ । ନାମାଙ୍କନ ଦାଖଲ ପୂର୍ବରୁ ଦୁଇ ଜଣ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।

ନାମାଙ୍କନ ଭରିବା ପୂର୍ବରୁ ପ୍ରତିକ୍ରିୟା ଦେଇ ଦେବାଶିଷ ସାମନ୍ତରାୟ କହିଛନ୍ତି ସଂସଦରେ ରାଜ୍ୟ ହିତ ପ୍ରସଙ୍ଗ ଉଠାଇବେ । ବିଧାନସଭାରୁ ରାଜ୍ୟସଭାକୁ ଯିବା ତାଙ୍କ ପାଇଁ ପ୍ରମୋସନ ବୋଲି କହିଛନ୍ତି ଦେବାଶିଷ । ବିଧାୟକ ହେବି ନା ସାଂସଦ ହେବି ମୋର ପସନ୍ଦ ନୁହେଁ ବରଂ ଏହା ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ । ବାଲିଯାତ୍ରାକୁ ଐତିହାସିକ ମାନ୍ୟତା ଓ କଟକର ଅନ୍ୟାନ୍ୟ ବହୁ ସମସ୍ୟାର ସମାଧାନ ପାଇଁ ରାଜ୍ୟସଭାରେ ସ୍ୱର ଉଠାଇବି । ମୁଁ ରାଜ୍ୟସଭା ଗଲେ ଆଗକୁ ଏହି ଆସନ ବିଜୁ ଜନତା ଦଳର ଗଡ ହୋଇ ରହିବ । କଟକ ମୋ ଘର ଲୋକ ଆଗରୁ ମୁଁ ବିଧାୟକ ଭାବେ ଲୋକଙ୍କ ସହ ଯୋଡ଼ି ହୋଇ ଥିଲି ଏବେ ସାଂସଦ ଭାବେ ମଧ୍ୟ ସେମାନଙ୍କ ସହ ରହିବି । ରାଜ୍ୟ ପ୍ରତି କେନ୍ଦ୍ର ଅବହେଳା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୋର ଆଭିମୁଖ୍ୟ ରାଜ୍ୟସଭାରେ ରହିବ । ମୋ ଉପରେ ଭରସା କରି ଗୁରୁଦାୟିତ୍ୱ ଦେଇ ଦିଲ୍ଲୀ ପଠାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଦେବାଶିଷ ସାମନ୍ତରାୟ ।