ଜାତୀୟ କ୍ରିକେଟ୍ ଚୟନ କମିଟିରେ ସ୍ଥାନ ପାଇଲେ ଓଡିଶାର ଦେବାଶିଷ ମହାନ୍ତି । କହିଲେ ପ୍ରଦର୍ଶନକାରୀଙ୍କ ଉପରେ ନିରନ୍ତର ରହିବ ନଜର

128

କନକ ବ୍ୟୁରୋ : ଓଡିଶାର ଗର୍ବ ବଢାଇଲେ ପୂର୍ବତନ ଜାତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ଦେବାଶିଷ ମହାନ୍ତି । ଓଡିଶା କ୍ରିକେଟକୁ ଗତ ଅଢେଇ ଦଶନ୍ଧି ଧରି ରୁଦ୍ଧିମନ୍ତ କରିଥିବା ଦେବାଶିଷ ମହାନ୍ତି ଆଉଏକ ପାହାଚ ଅତିକ୍ରମ କରିଛନ୍ତି । ଦିନେ ସେ ଭାରତୀୟ କ୍ରିକେଟ ଦଳର ଖେଳାଳୀ ଥିଲେ, ଏବେ ଭାରତୀୟ ଦଳ ପାଇଁ ଖେଳାଳୀ ଚୟନ କରିବେ । ଆସନ୍ତାମାସରୁ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ପାଇଁ ସେ ଭାରତୀୟ ଦଳ ଚୟନର ଅନ୍ୟତମ ଅଂଶବିଶେଷ ହେବେ । ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିରେ ଦେବାଶିଷ ମହାନ୍ତି ଅନ୍ୟତମ ସଦସ୍ୟ । ତେଣୁ ଖୁସି ଏବଂ ଏଥିପାଇଁ ଓସିଏକୁ ଧନ୍ୟବାଦ ଦେଇଛନ୍ତି । ଜୁନିୟର ଟିମ୍ ପାଇଁ ଖେଳାଳୀ ଚୟନ କରୁଥିଲେ । ଏବେ ବରିଷ୍ଠ ଦଳ ପାଇଁ ଖେଳାଳୀ ବାଛିବା ଏକ ଗୁରୁ ଦାୟିତ୍ୱ ଏବଂ ଏହାକୁ ସେ ନିଷ୍ଠାର ସହ ତୁଲାଇବେ ବୋଲି ସୂଚନା ଦେଇଛନ୍ତି ।

କହିରଖୁ କି ଦେବାଶିଷ ମହାନ୍ତି ଅଢେଇ ଦଶନ୍ଧି ପୂର୍ବେ ଓଡିଶାର ପ୍ରଥମ କ୍ରିକେଟର ଭାବେ ଜାତୀୟ ଦଳରେ ସାମିଲ ହୋଇଥିଲେ । ଏହା ପରେ ସେ ଦେଶ ପାଇଁ କିଛି ଦିନିକିଆ ଓ ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ଅଳ୍ପ କିଛିଦିନର ଆନ୍ତର୍ଜାତୀୟ କ୍ୟାରିଅରରେ ସେ ଭଲ ପ୍ରଦର୍ଶନ କରିଥିଲେ ବି ପରେ ତାଙ୍କୁ ଦଳରେ ସ୍ଥାନ ମିଳିପାରି ନଥିଲା । ଏହାକୁ ନେଇ ସେ ଚିନ୍ତିତ ହେବା ପରିବର୍ତ୍ତେ ଜାତୀୟ ଜୁନିୟର ଟିମ୍ ର ଚୟନକର୍ତ୍ତା ଭାବେ ନିଯୁକ୍ତି ପାଇଥିଲେ । ହେଲେ ଏବେ ସେ ସିନିୟର ଦଳ ପାଇଁ ବିସିସିଆଇ ପ୍ରସ୍ତୁତ କରିଥିବା ଚୟନକର୍ତ୍ତା କମିଟିରେ ସ୍ଥାନ ପାଇବା ପରେ ଖୁସିବ୍ୟକ୍ତ କରିଛନ୍ତି ।