ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ ଦେବାଶିଷ ଓ ଶୁଭାଶିଷ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭରିଲେ ନାମାଙ୍କନ ।

171

କନକ ବ୍ୟୁରୋ : ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଦୁଇ ନେତା ନାମାଙ୍କନ ଭରିଛନ୍ତି । ଏହି ସମୟରେ ଦଳର ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିଥିଲେ ।

ନାମାଙ୍କନ ଭରିବା ପୂର୍ବରୁ ପ୍ରତିକ୍ରିୟା ଦେଇ ଦେବାଶିଷ ସାମନ୍ତରାୟ କହିଥିଲେ, ସଂସଦରେ ରାଜ୍ୟ ହିତ ପ୍ରସଙ୍ଗ ଉଠାଇବେ । ବିଧାନସଭାରୁ ରାଜ୍ୟସଭାକୁ ଯିବା ତାଙ୍କ ପାଇଁ ପ୍ରମୋସନ ବୋଲି କହିଛନ୍ତି ଦେବାଶିଷ । ବିଧାୟକ ହେବି ନା ସାଂସଦ ହେବି ମୋର ପସନ୍ଦ ନୁହେଁ ବରଂ ଏହା ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ । ବାଲିଯାତ୍ରାକୁ ଐତିହାସିକ ମାନ୍ୟତା ଓ କଟକର ଅନ୍ୟାନ୍ୟ ବହୁ ସମସ୍ୟାର ସମାଧାନ ପାଇଁ ରାଜ୍ୟସଭାରେ ସ୍ୱର ଉଠାଇବି । ମୁଁ ରାଜ୍ୟସଭା ଗଲେ ଆଗକୁ ଏହି ଆସନ ବିଜୁ ଜନତା ଦଳର ଗଡ ହୋଇ ରହିବ । କଟକ ମୋ ଘର ଲୋକ ଆଗରୁ ମୁଁ ବିଧାୟକ ଭାବେ ଲୋକଙ୍କ ସହ ଯୋଡ଼ି ହୋଇ ଥିଲି ଏବେ ସାଂସଦ ଭାବେ ମଧ୍ୟ ସେମାନଙ୍କ ସହ ରହିବି । ରାଜ୍ୟ ପ୍ରତି କେନ୍ଦ୍ର ଅବହେଳା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୋର ଆଭିମୁଖ୍ୟ ରାଜ୍ୟସଭାରେ ରହିବ । ମୋ ଉପରେ ଭରସା କରି ଗୁରୁଦାୟିତ୍ୱ ଦେଇ ଦିଲ୍ଲୀ ପଠାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଦେବାଶିଷ ସାମନ୍ତରାୟ ।

ସେହିଭଳି ନାମାଙ୍କନ ଭରିବା ପୂର୍ବରୁ ଶୁଭାଶିଷ ଖୁଣ୍ଟିଆ କହିଥିଲେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଖ୍ୟମନ୍ତ୍ରୀ ମୋତେ ଏହି ଗୁରୁଦାୟିତ୍ୱ ଦେଇଛନ୍ତି । ଦଳ ଯେତେବେଳେ ଯାହା ଦାୟିତ୍ୱ ଦେଇଛି ମୁଁ ତାହାକୁ ପାଳନ କରିଛି । ଏହି ଦାୟିତ୍ୱକୁ ମଧ୍ୟ ପାଳନ କରିବି ବୋଲି କହିଛନ୍ତି ଶୁଭାଶିଷ ।