ରଙ୍ଗମଞ୍ଚ ପଛର ରିୟଲ ହିରୋ: ଧନୁଯାତ୍ରାରେ ପ୍ରତିଦିନ ୧୦୦ କଳାକାରଙ୍କୁ ମେକଅପ ଦିଅନ୍ତି, ଆଧୁନିକ ମଣିଷକୁ ପୌରାଣିକ ଚରିତ୍ରରେ ସଜାଇ ଦିଅନ୍ତି

506

କନକ ବ୍ୟୁରୋ: ପୌରାଣିକ ଯୁଗକୁ ଫେରି ଯାଇଛି ବରଗଡ । ୧୧ ଦିନ ପାଇଁ ବରଗଡ ମଥୁରା ପାଲଟିଥିବା ବେଳେ ଅମ୍ବାପାଲି ଗୋପପୁର ସାଜିଛି । ଠିକ ସେତିକି ବେଳେ ପୁରାଣରେ ବର୍ଣ୍ଣିତ କଥାଚିତ୍ର, କାହାଣୀ ଓ ଚରିତ୍ର ସହ ନିଜେ କେମିତି ମଜ୍ଜିକି ରହିବେ ସେ ଚେଷ୍ଟା ବଜାୟ ରଖିଥାନ୍ତି ଧନୁଯାତ୍ରାର କଳକାର । ତେବେ ସବୁଠାରୁ ବଡ କଥା ହେଉଛି ଆଧୁନିକ ସମାଜର କଳାକାରଙ୍କ ଦେହରେ ଦିଆଯାଉଛି ପୌରାଣିକ ଯୁଗର ଲୁକ୍ । ପ୍ରତି କଳାକାରଙ୍କୁ ସେ ସମୟର ଚରିତ୍ର ସହ ସମାନ କରିବାକୁ ପିନ୍ଧାଯାଉଛି ପୌରାଣିକ ପୋଷାକ ଆଉ ମୁହଁରେ ଲଗାଯାଉଛି ରଙ୍ଗ ପାଉଡର ।

ତେବେ ମହାରାଜ କଂସଙ୍କ ଠାରୁ ଆରମ୍ଭ କରି କୃଷ୍ଣ, ବଳରାମ ଓ ଧନୁଯାତ୍ରା ଅନ୍ୟ କଳାକାରମାନଙ୍କ ବେଶଭୂଷା, ପରିପାଟ୍ଟୀ ପଛରେ ଥାଏ ମେକଅପ ଆର୍ଟିଷ୍ଟଙ୍କ ହାତ । ଆଉ ସେମାନଙ୍କ ମେକଅପ ଦ୍ୱାରା ହିଁ ଆଧୁନିକ ଯୁଗର କଳାକାରମାନେ ପୌରାଣିକ ଯୁଗର ପ୍ରତିଟି ଚରିତ୍ର ସହ ସମାନ ଦେଖାଯାଆନ୍ତି । ତେବେ ରଙ୍ଗମଞ୍ଚରେ ଅଭିନୟ କରୁଥିବା ପ୍ରତି କଳାକାରଙ୍କୁ ଗ୍ରୀନ ରୁମରେ ରହି ମେକଅପ ଦିଅନ୍ତି ୬୨ ବର୍ଷିୟ ଦେବନନ୍ଦ ସାହୁ ।

ଦୀର୍ଘ ପାଞ୍ଚ ଦଶନ୍ଧି ଧରି କଂସ ଓ ଅନ୍ୟ କଳାକାରମାନଙ୍କ ମେକଅପ ସହ ସେମାନଙ୍କ ପୋଷାକ, ପରିପାଟ୍ଟୀ ପଛର ନାୟକ ସାଜିଛନ୍ତି ଦେବନନ୍ଦ ସାହୁ । ଝଙ୍କାର ଚିତ୍ରାଳୟର ମେକଅପ ଆର୍ଟିଷ୍ଟ ଦେବନନ୍ଦ ୧୯୭୨ରୁ ଧନୁଯାତ୍ରାର କଳାକାରଙ୍କୁ ମେକଅପ ଦେଇଆସୁଛନ୍ତି । ବରଗଡର ପ୍ରଥମ ଧନୁଯାତ୍ରାରେ ସ୍ୱର୍ଗତ ଲଳିତ ମୋହନ ସାହୁ ଏବଂ ଘାସିରାମ ସାହୁ କଳାକାରଙ୍କୁ ମେକଅପ ଦେଇଥିବା ବେଳେ ସେମାନଙ୍କ ଅନ୍ତେ ତାଙ୍କ ଦାୟାଦ ଦେବନନ୍ଦ ସାହୁ ଏହି କାମ କରି ଆସୁଛନ୍ତି ।

ଖାଲି ଦେବନନ୍ଦ ନୁହଁନ୍ତି ତାଙ୍କ ପୂରା ପରିବାର ଧନୁଯାତ୍ରା ପାଇଁ କାମ କରନ୍ତି । ୩ ମାସ ଆଗରୁ କଳାକାର ମାନଙ୍କ ପାଇଁ ପୋଷାକ ତିଆରି କରିବା ସହ ଧନୁଯାତ୍ରା ସମୟରେ ପ୍ରାୟ ୧୦୦ ଜଣ କଳାକାରଙ୍କୁ ସବୁଦିନ ମେକଅପ ଦିଅନ୍ତି ଦେବନନ୍ଦଙ୍କ ପୂରା ପରିବାର । ଦେବନନ୍ଦଙ୍କ ସ୍ତ୍ରୀ, ଭାଇ ଭାଉଜ, ପୁତୁରା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ପ୍ରତିଦିନ କଳାକାରଙ୍କ ମୁହଁରେ ରଙ୍ଗ ପାଉଡର ଲଗାଇବା ସହ ପୋଷାକ ଦାୟିତ୍ୱରେ ଥାଆନ୍ତି ।

୧୯୭୨ରେ ଦେବନନ୍ଦ ଗୋପପୁରରେ ପ୍ରଥମେ କୃଷ୍ଣ, ବଳରାମଙ୍କ ମେକଅପ କରିଥିଲେ । ମାତ୍ର ପରେ ୧୯୭୯ରେ ସେ କଂସ ମହାରାଜଙ୍କୁ ମେକଅପ ଦେଇଥିଲେ । ବାସ୍ ତାପର ଠାରୁ ସେ ଆଜି ପର୍ଯ୍ୟନ୍ତ ଧନୁଯାତ୍ରାର ସବୁ କଳାକାରଙ୍କ ମେକଅପ ଓ ପୋଷାକ କାମ କରିଆସୁଛନ୍ତି । ତେଣୁ ତ ତାଙ୍କୁ କେହି କେହି ଧନୁଯାତ୍ରା ପୋଷାକ ପଛର ନାୟକ ବୋଲି କୁହନ୍ତି ।