ସରପଂଚଙ୍କ ବହୁମୁଖୀ ଚାଷ । ଗୋପାଳନ ସହ ମାଛ, ଛେଳି ଓ ବତକ ଚାଷ କରୁଛନ୍ତି ଦେବଗଡ଼ ଲୁଲଙ୍ଗ ପଂଚାୟତର ସରପଂଚ

62

କନକ ବ୍ୟୁରୋ : ଜନ ପ୍ରତିନିଧିଙ୍କ ଚାଷ କରିବାର ନିଶା । ଦେବଗଡ଼ ରିଆମାଳ ବ୍ଲକ ଲୁଲଙ୍କ ପଂଚାୟତର ସରପଂଚ ଭାବେ ନିର୍ବାଚିତ ହୋଇଛନ୍ତି ଯୁଧିଷ୍ଠିର । ଜଣେ ଲୋକପ୍ରତିନିଧି ଭାବେ ସ୍ଥାନୀୟ ଅଂଚଳରେ ତାଙ୍କର ବେଶ ଲୋକପ୍ରିୟତା ରହିଛି । ଏହା ସହ ତାଙ୍କ ଚାଷ କାମ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ୩୫ ଏକରରୁ ଅଧିକ ଜମିରେ ସେ ଗୋପାଳନ, କୁକୁଡ଼ା ଫାର୍ମ, ମାଛ ଚାଷ, ବତକ ପାଳନ ସହ ବିରି, ମୁଗ, ସୂର୍ଯ୍ୟମୁଖୀ ଚାଷ କରିଛନ୍ତି । ଏହି ଚାଷରୁ ତାଙ୍କୁ ବାର୍ଷିକ ଲକ୍ଷାଧିକ ଟଙ୍କାର ରୋଜଗାର ମିଳୁଛି ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବ୍ୟାଙ୍କରୁ ୭୬ ଲକ୍ଷ ଟଙ୍କା ରୁଣ ନେଇ ୨୦ଟି ଗାଇ ରଖି ସେଥିରୁ ୧୩୦ ଲଟର କ୍ଷୀର ଉତ୍ପାଦନ କରୁଛନ୍ତି । ଏହାକୁ ରିଆମାଳ ଠାରେ ଥିବା ଦୁଗ୍ଧ ଉତ୍ପାଦନ କେନ୍ଦ୍ରରେ ବିକ୍ରି କରି ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ସେହିପରି ଗାଇ ଗୋବରରୁ ଜିଆ ଖତ ପ୍ରସ୍ତୁତ କରି ଏହାକୁ କୃଷିକ୍ଷେତ୍ରରେ ବ୍ୟବହାର କରୁଛନ୍ତି । ୫୦୦ରୁ ଅଧିକ ବତକ ପାଳନ କରି ସେଥିରୁ ମଧ୍ୟ ସେ ଲାଭବାନ ହେଉଛନ୍ତି । ୧୦ ଏକର ପରିମିତ ପୋଖରୀରେ ମାଛ ଚାଷ ସହ ଛେଳି ଓ ଘୁଷୁରି ଚାଷ କରୁଛନ୍ତି । ଏ ସମସ୍ତ ଚାଷରୁ ତାଙ୍କୁ ମାସିକ ୧୦ ଲକ୍ଷରୁ ଅଧିକ ଟଙ୍କା ରୋଜଗର ମିଳିପାରୁଛି । ସ୍ଥାନୀୟ ଅଂଚଳର କିଛି ଲୋକ ମଧ୍ୟ ରୋଜଗାର କରିପାରୁଛନ୍ତି ।

ଏହି କାମରେ ଯୁଧିଷ୍ଠିରଙ୍କୁ ତାଙ୍କ ପୁଅ ମାନେ ମଧ୍ୟ ସହଯୋଗ କରନ୍ତି । ଇଞ୍ଜିନିୟରିଂ ପାଠ ପଢ଼ି ମଧ୍ୟ ବାପାଙ୍କ ସହ ଚାଷ କାମକୁ ଆପଣାଇ ବେଶ ଲାଭବାନ ହେଉଛନ୍ତି । ଯାହା ଅନ୍ୟ ଚାଷୀଙ୍କୁ ଅନୁପ୍ରାଣିତ କରିବ ନିଶ୍ଚୟ ।