କନକ ବ୍ୟୁରୋ: ତାଳ ସହ ତାଳ ଦେଇ ବାଜୁଛି ତବଲା, ହୃଦୟର କଥାକୁ ହାତ ମାନି ବଜାଉଛି ହାରମୋନିୟମ । ତବଲା, ହାରମୋନିୟମର ସୁର ତାଳର ସଙ୍ଗମ ମନକୁ ହାଲକା କରୁଛି , ମନ ଜିଣି ନେଉଛି । ଆଉ ବାଦ୍ୟଯନ୍ତ୍ର ଉପରେ କୁନି କୁନି ହାତର ଯାଦୁ ସମସ୍ତଙ୍କୁ ତାଜୁବ କରିଛି । ଦୁଇ ଭାଇଙ୍କ ପ୍ରତିଭା ପୂରା ଅଞ୍ଚଳରେ ଚର୍ଚ୍ଚା ପାଲଟିଛି ।

Advertisment

ଦେବଦତ୍ତ ଓ ଶେଷଦେବ, ଦୁଇ ଭାଇ । ଦେବଦତ୍ତ ୧୫ ବର୍ଷର ହୋଇଥିବା ବେଳେ ସେ ତବଲା ବଜାଇବାରେ ବେଶ ନିପୁଣ । ଶେଷଦେବଙ୍କ ବୟସ ୧୩ ବର୍ଷ, ସେ ହାରମୋନିୟମ ବଜାଇବାରେ ମାହିର । କଳା ପ୍ରତି ଦୁଇ ଭାଇଙ୍କ ନିଷ୍ଠା ଓ ସାଧନା ସେମାନଙ୍କୁ ଅଳ୍ପ ବୟସରେ ସ୍ଥାନୀୟ ଅଞ୍ଚଳରେ ପରିଚୟ ଦେଇଛି ।

publive-image

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଖଇରମାଳ ଗାଁର ଦେବଦତ୍ତ କେନଝିରିଆପାଲି ସରକାରୀ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଶେଷଦେବ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି । ନିଜ ପଢାପଢିରୁ ଫୁରସତ ପାଇବା କ୍ଷଣି ତବଲା, ହାରମୋନିୟମ ଧରି ଅଭ୍ୟାସ କରିବାକୁ ବସିପଡନ୍ତି ଦୁଇ ଭାଇ ।

ପ୍ରତିଭାବାନ ଦୁଇ ଭାଇ ଗରିବ ପରିବାରରେ ଜନ୍ମ ହୋଇଥିବାର ବେଳେ ଦୁହେଁ ମା ଛେଉଣ୍ଡ । ବାପା ବହୁ କଷ୍ଟରେ ସେମାନଙ୍କୁ ମଣିଷ କରୁଛନ୍ତି । ଘରର ପରିସ୍ଥିତି ଭଲ ନଥିବାରୁ ପାରାୟଣ କରିବାକୁ ଯାଆନ୍ତି ଦୁହେଁ । ହାରମୋନିୟ, ତବଲା ବଜାଇ ଯାହା ଟଙ୍କା ଆଣନ୍ତି ସେସବୁ ପରିବାର ଚଳାଇବାକୁ ବାପାଙ୍କୁ ଦିଅନ୍ତୁ ।

ତେବେ ଉପାନ୍ତ ଅଞ୍ଚଳର ଉଦୀୟମାନ କଳାକାର ଅନେକ ସମୟରେ ପ୍ରୋତ୍ସାହନ, ପ୍ରେରଣା ଅଭାବରେ ଆଗକୁ ବଢି ପାରନ୍ତିନି କି ସେମାନଙ୍କର ପ୍ରତିଭାର ବିକାଶ ପାଇଁ କୌଣସି ସହଯୋଗ ମିଳେନି । ଆଉ ଏ ଦୁଇ ଭାଇ ସେମିତି ପ୍ରତିଭାଧାରୀ ହୋଇଥିଲେ ବି ଅଭାବର ଅଗଣାରେ କଳାକୁ ନେଇ ସ୍ୱପ୍ନ ଦେଖୁଛନ୍ତି । ହେଲେ କିଏ କରିବ ଏମାନଙ୍କ ସ୍ୱପ୍ନକୁ ସାକାର ? ସ୍ୱାର୍ଥପର ସମାଜରେ କିଏ ହେବ ଏମାନଙ୍କୁ ସାହା? ପ୍ରତିଭାକୁ ବିକଶିତ କରିବାକୁ ପ୍ରଶାସନ ଆଗେଇ ଆସିବା ଦରକାର ।