ଦେଶ ବିଦେଶରେ ସ୍ନାନଯାତ୍ରା : ମିଆଁମାରରେ ଜଗନ୍ନାଥ ମନ୍ଦିରରେ ପାଳନ ହେଲା ସ୍ନାନପୂର୍ଣ୍ଣିମା ନୀତି ସମ୍ପାଦନ

91

କନକ ବ୍ୟୁରୋ : ପୁରୀ ସମେତ ରାଜ୍ୟର ଅନେକ ସ୍ଥାନରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପାଦନ ହୋଇଛି । ଦରିଆପାରିରେ ମଧ୍ୟ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ବିଦେଶରେ ୧୦୮ ଗତା ସୁବାସିତ ଜଳରେ ଚତୁର୍ଦ୍ଧା ବିଗ୍ରହଙ୍କ ସ୍ନାନ କରାଯାଇଛି । ଏ ହେଉଛି ମିଆଁମାରରେ ଥିବା ଜଗନ୍ନାଥ ମନ୍ଦିରର ଦୃଶ୍ୟ । ଏଠାରେ ରହୁଥିବା ଓଡିଆ ଲୋକେ ଜଗନ୍ନାଥଙ୍କ ସବୁ ରୀତିନୀତି ସଂପାଦନ କରିଥାନ୍ତି । ୧୦୦ ବର୍ଷ ହେଲା ବ୍ରହ୍ମଦେଶ ରେଙ୍ଗୁନ୍ରେ ରଥଯାତ୍ରା କରାଯାଉଛି । ଏହି କ୍ରମରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି ।

ରଥଯାତ୍ରା, ଦୋଳ ପୂର୍ଣ୍ଣିମା, ମାଣବସା, ଶିବରାତ୍ରୀ, ତ୍ରିନାଥମେଳା ଓ ଚଇତି ମଙ୍ଗଳବାର ଓଷାବ୍ରତ କରିଥାନ୍ତି ସବୁ ଓଡିଆ । ଓଡିଶା ଉପକୂଳ ଠାରୁ ସମୁଦ୍ର ପଥରେ ୧୭ଶହ୮୦ କିଲୋମିଟର ଦୂରରେ ରହିଛି ମିଆଁମାର୍ । ଏହାର ପୂର୍ବ ନାମ ବ୍ରହ୍ମଦେଶ, ବର୍ମା ବା ରେଙ୍ଗୁନୁଦେଶ ଥିଲା । ସାଧବ ଯୁଗରୁ ମିଆଁମାର ସହ ଓଡିଶାର ସଂପର୍କ ରହିଛି । ବେପାର ବଣିଜ କରିବା ପାଇଁ ଯାଉଥିବା ସାଧବମାନେ ସେଠାରେ ବସତି ସ୍ଥାପନ କରିଥିଲେ । ୧୮୨୦ରୁ ୧୯୪୧ ଯାଏଁ ଓଡିଶାର ଗୋପାଳପୁର ବନ୍ଦରରୁ ବ୍ରହ୍ମଦେଶକୁ ଜଳପଥରେ ଗମନାଗମନ କରାଯାଉଥିଲା । ଏଥିପାଇଁ ସପ୍ତାହକୁ ଦୁଇଟି ଜାହାଜ ଚଳାଚଳ କରୁଥିଲା ।

ଗୋପାଳପୁରରୁ-ବ୍ରହ୍ମଦେଶକୁ ଜଳଦୁର୍ଗା ଓ ଚିଲିକା ନାମରେ ୨ଟି ଜାହାଜରେ ଲୋକେ ଯାତାୟାତ କରୁଥିଲେ । ୧୯୩୦ ମସିହାର ପରିସଂଖ୍ୟାନ ଅନୁସାରେ, ସେତେବେଳେ ବ୍ରହ୍ମଦେଶ ଅର୍ଥାତ୍ ବର୍ତମାନର ମିଆଁମାରରେ ୪୩ ହଜାର ଓଡିଆ ରହୁଥିଲେ । ଏବେ ମଧ୍ୟ ମିଆଁମାରରେ ହଜାର ହଜାର ଓଡିଆ ରହୁଛନ୍ତି । ସେଠାରେ ୫ଟି ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଶିବ ମନ୍ଦିର ଓ ବିଭିନ୍ନ ଦେଦାଦେବୀଙ୍କ ମନ୍ଦିର ରହିଛି । ଓଡିଆ ପ୍ରଥା ପରମ୍ପରା ଆଧାରରେ ପୂଜାର୍ଚ୍ଚନା କରାଯାଉଛି । ଓଡିଆ ବଂଶୋଦ୍ଭବମାନେ ବର୍ମିଜ୍ ମାନେ ରଥଯାତ୍ରା ସଂପାଦନ କରୁଛନ୍ତି ।