କନକ ବ୍ୟୁରୋ: ରାଉରକେଲାରେ ଆତଙ୍କ ଖେଳାଇଛି ଡାଇରିଆ । ଡାଇରିଆରେ ଆଜି ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଡାଇରିଆରେ ମୃତ୍ୟୁ ସଂଖ୍ୟା ୯ରେ ପହଂଚିଛି । ଏବେ ଜିଲ୍ଲାର ସରକାରୀ ହସ୍ପିଟାଲ ସମେତ ବିଭିନ୍ନ ଘରୋଇ ହସ୍ପିଟାଲରେ ଆକ୍ରାନ୍ତ ମାନେ ଭର୍ତି ହୋଇଛନ୍ତି । ସରକାରୀ ହସ୍ପିଟାଲରେ କେବଳ ୧୦୦ରୁ ଅଧିକ ଚିକିତ୍ସାଧୀନ ଥିବା ଜଣାପଡିଛି । ଦିନକୁ ଦିନକୁ ସ୍ଥିତି ବିଗୁଡ଼ୁଥିବାରୁ ସଂକ୍ରମଣ ରୋକିବାକୁ ତତ୍ପର ହୋଇଛି ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ।

Advertisment

ରାଉରକେଲା ମହାନଗର ନିଗମ୍ ପକ୍ଷରୁ ୧୨ଟି ସ୍ୱାସ୍ଥ୍ୟଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ୍ ଟିମ୍ ବସ୍ତି ଓ କଲୋନି ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ଔଷଧ ବଂଟନ କରୁଛନ୍ତି ଓ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଦରକାର ପଡ଼ିଲେ ସଂକ୍ରମଣ ରୋଗୀଙ୍କୁ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି । ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକଙ୍କ ନେତୃତ୍ୱରେ ଗଠିତ ଟିମ୍ ସହରର ବିଭିନ୍ନ ବସ୍ତି ଓ କଲୋନି ପାଇପ ଯୋଗେ ଯୋଗାଣ ହେଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀ ରଞ୍ଜନ ଶତପଥୀ କହିଛନ୍ତି, ଖାଦ୍ୟ କିମ୍ବା ପାଣିରୁ ବ୍ୟାପୁଛି କି ନାହିଁ ସ୍ପଷ୍ଟ ହୋଇନି । ସମସ୍ତ ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଉଛି । ସମସ୍ତ ଘରୋଇ ହସ୍ପିଟାଲକୁ ବେଡ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ଡାକ୍ତର ଓ ନର୍ସିଂ କର୍ମଚାରୀ ମଧ୍ୟ ବଢ଼ାଯାଇଛି ।

ରାଉରକେଲାର ଝାଡାବାନ୍ତି ବ୍ୟାପିବା ପଛର କାରଣକୁ ନେଇ ଦ୍ୱନ୍ଦ୍ୱ । ଗୋଟିଏ ପଟେ ଉପଜିଲ୍ଲାପାଳ କହୁଛନ୍ତି, ଝାଡାବାନ୍ତି ପାଣିରୁ ବ୍ୟାପିଥିବା ନେଇ ସ୍ପଷ୍ଟ ହୋଇନି । ହେଲେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆଉ କିଛି କହିଛନ୍ତି । ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପାଣି ଝାଡାବାନ୍ତି ବ୍ୟାପିବା ପଛର ପ୍ରମୁଖ କାରଣ । ଝାଡାବାନ୍ତିରେ ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି । ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ଏହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଆଉ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ପାଣିରେ କ୍ଲୋରିନ୍ କମ୍ ରହିଛି । ଏହା ଜଳବାହିତ ରୋଗ ବୋଲି ପ୍ରାଥମିକ ପର୍ଯ୍ୟାୟରୁ ଜଣାପଡିିଛି । ଜିଲ୍ଲାପାଳ ୱାଟକୋକୁ ଟ୍ୟାଙ୍କ୍ ସଫା କରିବାକୁ, ନାଳ ବିଶୋଧନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଟ୍ୟାଙ୍କରୁ ପାଣି ନେଇ ପରୀକ୍ଷା କରିବା ଭଳି କାମ କରିବେ ।